ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦକ୍ଷିଣ ଓଡ଼ିଶାରେ କମୁଛି ସମର୍ଥନ । ହାରିବା ଭୟରେ ପଶ୍ଚିମ ମୁହାଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ପଶ୍ଚିମ ଓଡ଼ିଶାର  ବିଜେଡି ପାଇଁ ‘ସେଫ ସିଟ୍‌’ କୁହାଯାଉଥିବା ବିଜେପୁରରୁ ଲଢିବେ ନବୀନ  । ସବୁବେଳେ ମହିଳାଙ୍କ ସମ୍ମାନ କଥା କହୁଥିବା ନବୀନ ନିଜ ପରାଜୟ ଭୟରେ ବିଜେପୁର ବିଧାୟକ ରୀତା ସାହୁଙ୍କୁ ଆଉଟ୍‌ କରି ନିଜେ ଇନ୍‌ ହୋଇଛନ୍ତି । ଏଭଳି ତମାମ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ରାଜ୍ୟ ଗୁଇନ୍ଦା ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ  ଚିଠି ଏହି ଅଭିଯୋଗର କେନ୍ଦ୍ର ବିନ୍ଦୁ ପାଲଟିଛି  । ମାର୍ଚ୍ଚ ୧୫ ତାରିଖରେ  ରାଜ୍ୟ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକଙ୍କ ଦସ୍ତଖତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଚିଠିକୁ  ଗଣମାଧ୍ୟମ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କ ଗୁମର ଖୋଲିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ହିଂଜିଳିରୁ ନିର୍ବାଚନ ଲଢିଲେ ହାରିଯିବା ସମ୍ଭାବନା ଥିବା ଚିଠିରେ ଦର୍ଶାଯାଇଛି । ଏହାସହ କେଉଁଠାରୁ ନିର୍ବାଚନ ଲଢିଲେ ମୁଖ୍ୟମନ୍ତ୍ରୀଙ୍କୁ ସୁବିଧା ହେବ ଏହି ପତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି । ସରକାରଙ୍କ କୁଶାସନ କାରଣରୁ ଜନସାଧାରଣଙ୍କୁ ବହୁବିଧ ଅସୁବିଧା, ତଥା ଭିତିଭୂମି ଅଭାବ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଥିବା ଏହି ପତ୍ରରେ ସ୍ପଷ୍ଟ ଭାବେ ଲେଖାଯାଇଛି । କାଳିଆ ଟଙ୍କାରେ ଅବ୍ୟବସ୍ଥା ଜନ ଅସନ୍ତୋଷର କାରଣ ହୋଇଛି । ବାତ୍ୟା ପରେ ସହାୟତା ଟଙ୍କା କେବଳ ବିଜେଡି ନେତାଙ୍କ ନିକଟତର ପରିବାରରେ ପହଁଚିବା ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଥିବା ଗୁଇନ୍ଦା ବିଭାଗ ତାର ରିପୋର୍ଟରେ କହିଛି ।

ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ନ ଲଢି ଆଉ ୪ ଟି ବିକଳ୍ପ ନିର୍ବାଚନ ମଣ୍ଡଳୀର ପ୍ରସ୍ତାବ ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ ଥିବା ନେଇ ଟଙ୍କଧର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗୁଇନ୍ଦା ବିଭାଗର ପ୍ରସ୍ତାବ ଅନୁସାରେ ରାଉରକେଲା, ବିଜେପୁର, ବଲାଙ୍ଗୀର ଅଥବା ଟିଟିଲାଗଡ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, 2019 ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । 9ଟି ଲୋକସଭା ଏବଂ 54ଟି ବିଧାନସଭା ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବିଜେଡି ଘୋଷଣା କରିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢିବା ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା ତା ଉପରୁ ମଧ୍ୟ ପରଦା ହଟିଛି । ପୂର୍ବରୁ ନବୀନ ପଟ୍ଟନାୟକ ଲଢୁଥିବା ହଞ୍ଜିଳି ସମେତ ପଶ୍ଚିମ ଓଡ଼ିଶାରୁ ବିଜେପୁରରୁ ବିଧାୟକ ପ୍ରାର୍ଥୀ ହେବେ ।

ଅନ୍ୟପଟେ ପୂର୍ବ ବର୍ଷ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ମିଶିଥିଲେ । ସବୁବେଳେ ମହିଳା ସମ୍ମାନ କଥା କହୁଥିବା ନବୀନ ବାବୁ ରୀତାଙ୍କୁ ସମ୍ମାନର ସହ ନିଜ ଦଳକୁ ପାଛୋଟି ଆଣିଥିଲେ । ତାପରେ ବିଜେପୁରରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ 40,000ରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ରୀତା ସାହୁ । ତେବେ ଏପରି ଏକ ସେଫ୍‌ ସିଟ୍‌ରୁ ନବୀନ ରୀତାଙ୍କ ଅଣଦେଖା କରି ନିଜେ ଲଢିବେ ବୋଲି ସ୍ଥିର କରିନେଲେ । ପୂର୍ବରୁ ବିଜେପୁରରେ ନିଜର ସମ୍ମାନ ବଞ୍ଚାଇବା ପାଇଁ ରୀତାଙ୍କୁ ମୋହରା ବନେଇଥିବା ନବୀନ ପୁଣି ଏକ ସମାନ ପରିସ୍ଥିତିରୁ ବର୍ତ୍ତିବା ପାଇଁ  ଖେଳିଛନ୍ତି ନୂଆ ଚାଲ । ତେବେ ରାଜ୍ୟ ବିଜେପିର ଅଭିଯୋଗ ସତ ହୋଇଥିଲେ ରାଜ୍ୟ ରାଜନୀତିରେ ବିଜେଡି ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି  ।

LEAVE A REPLY

Please enter your comment!
Please enter your name here