ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି ପାହାଡିଆ ଗ୍ରାମ ବଡସଡା ; ଅପହଞ୍ଚ ମୌଳିକ ସମସ୍ୟା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା !!! ଅଭିଶପ୍ତ ଜୀବନ ବିତାଉଛନ୍ତି ବଡସଡା ଗ୍ରାମବାସୀ !

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପୂର୍ବରୁ ଆମେ ବିଭିନ୍ନ ମୌଳିକ ସମସ୍ୟା ମଧ୍ୟ ଦେଇ ଜୀବନ କଟାଇ ଆସୁଥିଲୁ ଏବଂ  ଯେନେତେନ ପ୍ରକାରେ ଆମେ ତାହା ସହ୍ୟ କରି ଚଳିଯାଉଥିଲୁ  । ହେଲେ ଗତ ତିତିଲି ବାତ୍ୟା ହେବା ପରବର୍ତ୍ତୀ ଆମର ସମସ୍ୟା ତା ଠାରୁ ମଧ୍ୟ ଟିପିଯାଇ ଦ୍ୱିଗୁଣିତ ହୋଇଯାଇଛି । ତିତିଲି ବାତ୍ୟାରେ ଆମର ବ୍ୟାପକ କ୍ଷୟକ୍ଷତି ହେବା ସହ ଘର ସବୁ ଭାଙ୍ଗିଯାଇଛିଏବଂ ଜୀବନ ଜିବୀକା ପାଇଁ ସବୁ ଉଜୁଡି ଯାଇଛି । ଆମେ ଏବେ ସମ୍ପୁର୍ଣ୍ଣ ଭାବେ ସର୍ବହରା ହୋଇ ପଡି ଦୁଃଖ ଯନ୍ତ୍ରଣାରେ ଅଭିଶପ୍ତ ଜୀବନ ବିତାଉଛୁ ବୋଲି ଅତ୍ୟନ୍ତ କରୁଣମୟ ଭାବରେ ଗୁହାରି କରି ଅଭିଯୋଗ କରି କହିଛନ୍ତି ଗ୍ରାମବାସୀ ।

ଗଜପତି ଜିଲ୍ଲା ରାୟଗଡା ବ୍ଲକ ଏଙ୍ଗାରସିଂ ପଞ୍ଚାୟତର ପାହାଡ ଉପରେ ଥିବା ଆଦିବାସୀ ଅଧ୍ୟୁଷିତ ଏକ ବଡଗ୍ରାମ ହେଉଛି ବଡସଡା । ଗ୍ରାମର ୩ଗୋଟି ସାହି ଯଥା ଗୁଡି ସାହି, ସିଙ୍ଗୁଗୟା ଓ ସର୍ଗି ସାହିରେ ରହନ୍ତି ୬୧ ପରିବାରର ୩୦୦ରୁଉର୍ଧ୍ଵ  ଲୋକ  । ମୌଳିକ ସମସ୍ୟା ଏଠାରେ ସାତ ସପନ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳର ଓ ଲୋକଙ୍କ ବିକାଶ ପାଇଁ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ଦେଶ ସ୍ୱାଧୀନ ହେବାର ଇତି ମଧ୍ୟରେ ୭୨ ବର୍ଷ ବିତିଯାଇଥିଲେ ହେଁ ଏଠାରେ ସର୍ବନିମ୍ନ ମୌଳିକ ସୁବିଧା କି ଯୋଜନା ଗୁଡିକର କାଣିକଉଡିଟିଏ ସୁଫଳ ପହଞ୍ଚିପାରୁନାହିଁ । ଲୋକଙ୍କ ସରଳତା ସହ ନିରୀହତା ନିରକ୍ଷରତା ଓ ସଚେତନତାର ଅଭାବ ଯୋଗୁଁ ଏହାର ଫାଇଦା ନେଉଛନ୍ତି ନିୟୋଜିତ ଓ ଦାୟିତ୍ୱ ଥିବା ସରକାରୀ ଅଧିକାରୀ କର୍ମଚାରୀ ଓ ଟାଉଟର ମଧ୍ୟସ୍ତି ଲୋକମାନେ ।

ମୌଳିକ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ ପାନୀୟ ଜଳ ବିଦୁ୍ୟତ ଆଲୋକ ଓ ସରକାରୀ ବଣ୍ଟନ ବ୍ୟବସ୍ଥା

ଶିକ୍ଷା କହିଲେ ଗୋଟିଏ ସ୍କୁଲର ରହିଛି, ତିତିଲି ବାତ୍ୟାରେ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ପାହାଡ ଉପରେ ଘାଟିରାସ୍ତା ହୋଇଥିବା ଯୋଗୁଁ ନିୟୋଜିତ ଶିକ୍ଷକମାନେ ପ୍ରାୟତଃ ନିୟମିତ ଅସନ୍ତି ନାହିଁ । ବିଦ୍ୟାଳୟ ପାଚେରୀ ନାହିଁ କି ପିଲାମାନଙ୍କ ଖେଳିବା ଓ ମନୋରଞ୍ଜନ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ ।

ସ୍ୱାସ୍ଥ୍ୟସେବା କଥା ନକହିଲେ ଭଲ ପାହାଡିଆ ଘାଟି ରାସ୍ତାର ସୁଯୋଗ ନେଇ ସ୍ୱାସ୍ଥ୍ୟ ସେବା ଏଠାରେ ରାସ୍ତା ଥିବା ସତ୍ୱେ ପହଞ୍ଚିପାରେନି । କୌଣସି ଜରୁରୀକାଳିନ ରୋଗାକ୍ରାନ୍ତ କି ଗର୍ଭବତୀ କି ପ୍ରସ୍ତୁତି ମହିଳାଙ୍କୁ ଦୁରକୁ ନିଜ ବ୍ୟବସ୍ଥାରେ ପ୍ରାୟତଃ ନେବାକୁ ହୋଇଥାଏ ।

ପାନୀୟ ଜଳ ବ୍ୟବସ୍ଥା କହିଲେ ଗ୍ରାମରେ ୭ଟି ନଳକୂପ ରହିଛି, ଗୋଟିଏ ଅଚଳ ଏବଂ ଗୋଟିଏ କାର୍ଯ୍ୟକ୍ଷମ ଥିଲେ ହେଁ ଗନ୍ଧଯୁକ୍ତ ପାଣି ବାହାରୁଛି । ସେହି ପାଣିକୁ ଗ୍ରାମବାସୀ ବ୍ୟବହାର କଲେ ନାହିଁ ନଥିବା ପେଟ ରୋଗରେ ଆକ୍ରାନ୍ତ ହେଉଥିବା କହନ୍ତି ଗ୍ରାମବାସୀ, ସେହିଭଳି ଗୋଟିଏ କୂଅଁ ରହିଥିଲେ ମଧ୍ୟ ତାହା ଅପରିଷ୍କାର ଏବଂ ଖରାଦିନରେ ପ୍ରାୟତଃ ଶୁଖିଯାଇଥାଏ । ଖରାଦିନର ପ୍ରାୟ ୪ମାସ ଗ୍ରାମବାସୀ ପାନୀୟ ଜଳ  ଟୋପାଏ ପାଇଁ ଅତ୍ୟନ୍ତ ଡହଳବିକଳ ହୋଇ ପଡୁଛନ୍ତି । ପାନୀୟ ଜଳର ଅଭାବରେ ଗ୍ରାମବାସୀ ଦୁରରେ ଥିବା ପାହାଡ ଝରଣା ଓ ପାହାଡିଆ ଝରନାଳ ପାଖରୁ ପାଣି ସଂଗ୍ରହ କରି ଆଣିଥାନ୍ତି ।

ସେହିଭଳି ବିଦ୍ୟୁତ  ଆଲୁଅ ବ୍ୟବସ୍ଥା ନକହିବା ଭଲ । ଗ୍ରାମରେ ବିଦ୍ୟୁତ  ଆଲୁଅ ବ୍ୟବସ୍ଥା ରହିଛି ହେଲେ ନଥିବା ସଙ୍ଗେ ସମାନ । ବିଦ୍ୟୁତ ଚାଲିଗଲେ ପୁଣି କେତେବେଳେ ଏବଂ କେବେ ଆସିବ ତାହା ଠିକ ନଥାଏ ।

ଜଙ୍ଗଲ ଜମିପଟା ମିିଳିନଥିବା ବେଳେ ମନରେଗା ଯୋଜନାରେ ଦୀର୍ଘ ମାସ ଧରି କୌଣସି କାମ ମିଳୁନି, ଏଭଳି ଅନେକ ସମସ୍ୟା ମଧ୍ୟ ଦେଇ ଗ୍ରାମବାସୀ ବର୍ଷ ବର୍ଷ ଧରି ଜୀବନ କାଟି ଆସୁଛନ୍ତି । ଗ୍ରାମର ସରୋଜ ଭୁୟାଁ ଅଭିନୟ ଭୂୟାଁ,  ପ୍ରଫୁଲ କିଙ୍ଗାଲ, ଦିବାକର ଭୁୟାଁ, ଟିକିରି ବଡମୁଣ୍ଡି, ଲକ୍ଷ୍ମି କିଙ୍ଗାଲ ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ ତିତିଲି ବାତ୍ୟା  ଆସି ଆମର ସମସ୍ୟା ଦ୍ୱିଗୁଣ ବଢିଯାଇଛି । ଏହି ବାତ୍ୟାରେ ଘର ଦ୍ୱାର ସବୁ ଭାଙ୍ଗିଯିବା ସହ ଛେଳି କୁକୁଡା  ପ୍ରଭୃତି ମରିଗଲେ ଏବଂ ଜୀବନ ଜିବିକା ପାଇଁ ପାହାଡରେ ଥିବା କାଜୁ,ଆମ୍ୱ, ପଣସ,ମହୁଲ , ତେନ୍ତୁଳି ପ୍ରଭୃତି ଗଛ ନଷ୍ଟ ହୋଇଯିବା ସହ ପାହାଡ ଧୋଇ ହୋଇ ପୋଟୁମାଟି ଧସିଯାଇଛି, ଏମିତିକି ବର୍ଷ ବର୍ଷ ଧରି ଆମର ଜୀବନଜିବିକା ଯେଉଁ ରହିଥିଲା ତାହା ପୁଣି ୨୫/୩୦ ବର୍ଷ ପଛକୁ ଚାଲିଯାଇଛି । ଘର ଭାଙ୍ଗିଯାଇଥିବା ଯୋଗୁଁ ରହିିବା ପାଇଁ ଖୋଲା ଆକାଶ ହିଁ ସାହ ହୋଇ ରହିଛି ।

ଏତେ ସବୁ କ୍ଷୟକ୍ଷତିଓ ଜୀବନଜିବିକା ଉଜୁଡି ଯାଇଥିବା ବେଳେ ଆମ ମାନଙ୍କୁ ସରକାରୀ ସହାୟତା ଭାବେ ୫୦କେଜି ଚାଉଳ, ୧ ହଜାର ଟଙ୍କା ମାତ୍ର ମିଳିଥିବା ବେଳେ ଘରଭଙ୍ଗା ସାହାଯ୍ୟ କି ଅନ୍ୟାନ୍ୟ ସରକାରୀ ସହାୟତା ମିଳିନି ବୋଲି ଗ୍ରାମବାସୀ ଅଭିଯୋଗରେ କହିଛନ୍ତି ।

ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀ, ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ ଓ ଗୁହାରୀ ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି ବୋଲି ଗ୍ରାମବାସୀ ଅଭିଯୋଗରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *