ପାଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ଚିଠି ଲେଖିଲେ ଚନ୍ନି….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ବାଜି ସାରିଛି ବିଗୁଲ। ସବୁ ଦଳର ନେତାମାନେ ଆରମ୍ଭ କରିଦେଇଛନ୍ତି କସରତ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ଅଣ୍ଟା ଭିଡିଛନ୍ତି। ଏହାରି ଭିତରେ ପଞ୍ଜାବ ନିର୍ବାଚନ ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ପଞ୍ଜାବ ନିର୍ବାଚନକୁ ଏକ ସପ୍ତାହ ଆଗକୁ ବଢ଼ାଇବା ପାଇଁ ସେ ଚିଠି ଲେଖି ଅନୁରୋଧ କରିଛନ୍ତି। ଶନିବାର ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ ଚାନ୍ନି କହିଛନ୍ତି, ତାଙ୍କୁ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଇଛି। ରାଜ୍ୟରେ ସେମାନଙ୍କ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ। ଏହି ସମ୍ପ୍ରଦାୟ ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀରେ ଅଂଶଗ୍ରହଣ କରିବାକୁ ଚାହୁଁଛି। ଏହି ଅବସରରେ, ଫେବ୍ରୁଆରୀ ୧୦ରୁ ଫେବ୍ରୁଆରୀ ୧୬ ମଧ୍ୟରେ ଉତ୍ତରପ୍ରଦେଶର ବନାରସରେ ପ୍ରାୟ ୨୦ଲକ୍ଷ ଦଳିତ ଭକ୍ତ ଯିବା ସମ୍ଭାବନା ରହିଛି। 

ଏଭଳି ପରିସ୍ଥିତିରେ ଏହି ସମ୍ପ୍ରଦାୟର ଅଧିକାଂଶ ଲୋକ ନିଜ ନିଜ ମତଦାନ ସାବ୍ୟସ୍ତ କରିପାରିବେ ନାହିଁ, ଯାହା ସେମାନଙ୍କର ସାମ୍ବିଧାନିକ ଅଧିକାର ଅଟେ। ତେଣୁ ନିର୍ବାଚନ ତାରିଖକୁ ଆଗକୁ ବଢ଼ାଇବା ପାଇଁ ସମ୍ପ୍ରଦାୟ ଅନୁରୋଧ କରିଛି। ସେମାନେ ଫେବ୍ରୁଆରୀ ୧୬ ପରେ ବନାରସରୁ ଫେରି ଯେପରି ନିଜ ଭୋଟ ଦେଇପାରିବେ ସେ ଭଳି କିଛି ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଛନ୍ତି। ତେଣୁ ପଞ୍ଜାବ ବିଧାନସଭା ନର୍ବାଚନର ତାରିଖକୁ ଅତି କମ୍‌ରେ ୬ ଦିନ ଘୁଞ୍ଚାଇବା ଠିକ୍‌ ହେବ। ଏଭଳି କରିବା ଦ୍ୱାରା ୨୦ ଲକ୍ଷ ଲୋକ ଏହି ନିର୍ବାଚନରେ ଭାଗ ନେଇ ପାରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଚନ୍ନି। ସୂଚନା ମୁତାବକ, ଫେବ୍ରୁଆରୀ ୧୪ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ଏହି ଦିନ ହିଁ ୧୧୭ଟି ବିଧାନସଭା ସିଟ୍‌ ପାଇଁ ଭୋଟ୍‌ ପଡିବ। ୧୦ ମାର୍ଚ୍ଚରୁ ଭୋଟ ଗଣତି ହେବ। ପଞ୍ଜାବ ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୮ ଜାନୁଆରୀ ଭିତରେ ପ୍ରାର୍ଥୀ ନାମାଙ୍କନ କରିପାରିବେ, ୨୯ ଜାନୁଆରରେ ନାମାଙ୍କନ ପତ୍ର ଯାଂଚ ହେବ। ୩୧ ଜାନୁଆରୀରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ।

Leave a Reply

Your email address will not be published. Required fields are marked *