ସମସ୍ତଙ୍କୁ ଚକିତ କରିଦେଲେ ବିରାଟ, ଛାଡ଼ିଲେ ଟେଷ୍ଟ ଅଧିନାୟକ ପଦ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ବିରାଟ କୋହଲି। ଟ୍ୱିଟ୍‌ କରି ସେ ନିଜେ ଦେଇଛନ୍ତି ଏହି ସୂଚନା। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌କୁ ୨-୧ରେ ହାରିବାର ଦିନକ ପରେ ସେ ନେଇଛନ୍ତି ଏଭଳି ନିଷ୍ପତ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଗତବର୍ଷ ସେ ଟିମ୍ ଇଣ୍ଡିଆର ଟି ଟ୍ୱେଣ୍ଟି ଅଧିନାୟକ ପଦ ଛାଡ଼ିଥିବା ବେଳେ ଡିସେମ୍ବରରେ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ବି ମୁକ୍ତ କରାଯାଇଥିଲା। ବିରାଟ ଟ୍ୱିଟ୍ କରି ଲେଖିଛନ୍ତି ଯେ ଦଳକୁ ଠିକ୍ ଦିଗରେ ନେବା ପାଇଁ ସେ ୭ ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି। ସେ ତାଙ୍କ ଦାୟିତ୍ୱକୁ ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ନିର୍ବାହ କରିଛନ୍ତି। ଏଥିରେ ସେ ଟିକେ ବି ଅବହେଳା କରି ନାହାନ୍ତି। ସବୁ କଥାର ଅନ୍ତ ଅଛି। ଆଉ ସେ ଭାରତୀୟ ଟିମ୍‌ର ଟେଷ୍ଟ ଅଧିନାୟକ ଭାବେ ପାଇଥିବା ଦାୟିତ୍ୱକୁ ଏବେ ଛାଡୁଛନ୍ତି। ଏହି ଯାତ୍ରାରେ ଉଭୟ ଖରାପ ଓ ଭଲ ସମୟ ଆସିଛି। କିନ୍ତୁ ସେ କେବେ ବି ନିଜର ଶତପ୍ରତିଶତ ଦକ୍ଷତାର ଉପଯୋଗରୁ ଲକ୍ଷ୍ୟଚ୍ୟୁତ ହୋଇ ନଥିଲେ କି ନିଜ ଉପରୁ ବିଶ୍ୱାସ ହରାଇ ନଥିଲେ। ସେ ଯାହା ବି କରନ୍ତି ସେଥିରେ ସଦାବେଳେ ନିଜ ଦକ୍ଷତାର ୧୨୦ ପ୍ରତିଶତ ଦେବାକୁ ପ୍ରୟାସ କରନ୍ତି। ଯଦି ସେ କରି ନ ପାରନ୍ତି, ତା’ହେଲେ ତାହା ଠିକ୍ ନୁହେଁ ବୋଲି ମଧ୍ୟ ଜାଣନ୍ତି। ତାଙ୍କ ହୃଦୟ ପୂରା ସ୍ୱଚ୍ଛ। ସେ ତାଙ୍କ ଟିମ୍ ସହିତ ଛଳନା କରିପାରିବେ ନାହିଁ ବୋଲି ଲେଖିଛନ୍ତି। ଏକ ଲମ୍ବା ସମୟ ଧରି ଭାରତୀୟ ଦଳର ନେତୃତ୍ୱ ଦାୟିତ୍ୱ ଦେଇଥିବାରୁ ବିରାଟ କୋହଲି ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ତା’ସହିତ ସେ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ତାଙ୍କ ସବୁ ସମୟରେ ସହଯୋଗ କରି ଆସିଥିଲେ ଓ କେବେବି ହାତ ଛାଡ଼ି ନଥିଲେ। ଟିମ୍‌ର ସଦସ୍ୟମାନେ ହିଁ ତାଙ୍କର ଏହି ଯାତ୍ରାକୁ ସୁନ୍ଦର ଓ ସ୍ମୃତି କରି ସାଇତି ରଖିଲା ଭଳି କରିଥିବା ସେ ଲେଖିଛନ୍ତି। ଏହା ସହିତ ଏହି ଟ୍ୱିଟ୍‌ରେ ବିରାଟ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କ ଭିତରେ ନେତୃତ୍ୱ ନେବାର ଗୁଣ ରହିଛି ବୋଲି ମହେନ୍ଦ୍ର ସିଂହ ଧୋନି ସବୁ ବେଳେ ବିଶ୍ୱାସ କରୁଥିବାରୁ ବିରାଟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତୀୟ କ୍ରିକେଟ୍ ଟିମ୍‌କୁ ଆଗେଇ ନେବେ ବୋଲି ଧୋନି ସବୁବେଳେ ବିଶ୍ୱାସ କରୁଥିବା ବିରାଟ ଏଥିରେ ଉଲ୍ଲେଖ କରିଛନ୍ତି। ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ପରେ ବିସିସିଆଇ ଟ୍ୱିଟ୍ କରି ତାଙ୍କ ନେତୃତ୍ୱର ପ୍ରଶଂସା କରିଛି। ୨୦୧୪ ମସିହାରେ ବିରାଟ କୋହଲି ଭାରତୀୟ ଟିମ୍‌ର ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ। ସେ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଏହି ଦାୟିତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟ ହାସଲ କରିଛି। ଗତ ବର୍ଷ ଡିସେମ୍ବରରେ ବିରାଟଙ୍କୁ ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା। ଏହି ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି।

Leave a Reply

Your email address will not be published. Required fields are marked *