ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚଳନା ରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଥିବା ସହ ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ପ୍ରକଟ କରି ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରି ବା ସହ ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କୁ ଏହି ପରିପ୍ରେକ୍ଷୀରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଯଦିଓ ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲାଇଜେସନ ବହୁତ କମ୍ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ । ସେହିପରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନ ଥିବା ତଥା ଦ୍ବିତୀୟ ଡୋଜ ନେଇ ନ ଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ବରିଷ୍ଠ ନାଗରିକ ତଥା ସମ୍ମୁଖ ଯୋଦ୍ଧା ମାନଙ୍କର ଟିକାକରଣ ଖୁବ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହି ଏହା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ପୂର୍ବ ଥର ଭଳି ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି କୋଭିଡ ନିୟମର କଡାକଡି ଅନୁପାଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ବର୍ତ୍ତମାନର ଲହରରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ନିଜ ଘରେ ପୃଥକୀକରଣ ରହିଛନ୍ତି, ତେଣୁ ଆମକୁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ ଏବଂ ଏଥିପାଇଁ ରେପିଡ ରେସ୍ପୋନ୍ସ ଟିମ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜ ଘରେ ପୃଥକୀକରଣରେ ଥିବା ରୋଗୀ ମାନଙ୍କୁ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ଜଣାପଡିଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର.କେ. ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଛନ୍ତି । କୋଭିଡ ନିୟମ ଅନୁପାଳନର କଡ଼ାକଡ଼ି ତଦାରଖ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ ବନ୍ ଶଲ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇଥିବା ଜଣାପଡିଛି । ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ଏଣୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଅନେକଙ୍କୁ ଜନଗହଳି ପୂର୍ଣ୍ଣ ଖେକ ଖେଳିବା ଓ ଉତ୍ସବ ମହୋତ୍ସବ ପାଳନ କରିବା ନିମନ୍ତେ ଅନୁମତି ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତାକୁ ବେଖାତିର କରୁନାହାନ୍ତିକି ବୋଲି ପ୍ରଶ୍ନ ଉଠୁଛି । ତେବେ କାହାକୁ କହିବା କପାଳରେ ସିନା କର ମାରିବା ।