ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-  ଭୁବନେଶ୍ଵରର ଶିଶୁପାଳଗଡ ସ୍ଥିତ ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍ ପରିସରରେ ଓଡିଶାର ବୃହତ୍ତମ ସାଧୁସନ୍ଥ ସଂଗଠନ “ସନାତନ ସନ୍ଥ ସମାଜ” ର ଦଶମ ବାର୍ଷିକ ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ବେଦାନ୍ତ ବିଜ୍ଞାନ ଗୁରୁକୁଲମ୍ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସନାତନ ସନ୍ଥ ସମାଜର ଅଧ୍ଯକ୍ଷ ସ୍ବାମୀ ଭାଗବତାନନ୍ଦ ସରସ୍ବତୀ ଏହି ସମ୍ମିଳନୀରେ ପୌରୋହିତ୍ୟ କରିଥିଲେ । ଓଡିଶା ତଥା ଓଡିଶା ବାହାରୁ ବିଭିନ୍ନ ସମ୍ପ୍ରଦାୟର ଅଗଣିତ ସାଧୁସନ୍ଥ, ସନ୍ନ୍ୟାସୀ, ବ୍ରହ୍ମଚାରୀ, ଓ ମହନ୍ତ ମହାରାଜମାନେ ଯଥା ସ୍ବାମୀ ସଂପୂର୍ଣ୍ଣାନନ୍ଦ ସରସ୍ବତୀ, ସ୍ବାମୀ ବ୍ରହ୍ମ ସ୍ବରୂପାନନ୍ଦ ପୁରୀ, ସ୍ବାମୀ ଜିଜ୍ଞାସାନନ୍ଦ ସରସ୍ବତୀ, ସ୍ବାମୀ ହରିଶରଣାନନ୍ଦ, ସ୍ବାମୀ ପ୍ରାଣସ୍ବରୂପାନନ୍ଦ ସରସ୍ବତୀ, ସ୍ବାମୀ ଗୁରୁଶରଣାନନ୍ଦ, ସ୍ବାମୀ ହରିଭକ୍ତାନନ୍ଦ, ସ୍ବାମୀଶ୍ରୀ ଜୟଦେବ ଭାରତୀ, ସ୍ବାମୀଶ୍ରୀ ଶାଶ୍ବତାନନ୍ଦ, ସ୍ବାମୀ ଅଭେଦାନନ୍ଦ, ସ୍ବାମୀ ଶୁଭାନନ୍ଦ, ସ୍ବାମୀ କ୍ରାନ୍ତି ସ୍ବରୂପାନନ୍ଦ, ସ୍ବାମୀ ଭୂମାନନ୍ଦ ଗିରି, ସ୍ବାମୀ ଓମାନନ୍ଦ ସରସ୍ବତୀ, ଖଗେଶ୍ବର ବାନପ୍ରସ୍ଥି, ବ୍ରହ୍ମଚାରୀ ସତ୍ଯ ଚୈତନ୍ଯ ପ୍ରମୁଖ ଯୋଗଦାନ କରିଥିଲେ ।

ପ୍ରାରମ୍ଭରେ ବେଦପାଠ କରାଯିବା ସହ ସାମ୍ପ୍ରତିକ ସମାଜରେ ସନାତନ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ସୁଚିନ୍ତିତ ସୁସଂଗଠିତ ଖସଡା ପ୍ରସ୍ତୁତି, ଏକ ସଚେତନଶୀଳ ତଥା ହିନ୍ଦୁତ୍ବ ଭାବାବେଗ ଆଧାରରେ ବ୍ଯକ୍ତିତ୍ବର ବିକାଶ, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଓ ତାର ମୂଲ୍ଯବୋଧ ସମ୍ପର୍କରେ ଦିଗ୍ ଦର୍ଶନ, ଦୈନନ୍ଦିନ ଜୀବନରେ ବେଦ ଉପନିଷଦର ଉପଦେଶ ଓ ନିର୍ଦ୍ଦେଶ ପାଳନ ଏବଂ କରୋନା ପିଡୀତ ତଥା ପଛୁଆବର୍ଗଙ୍କୁ ଯଥାସାଧ୍ଯ ସହାୟତା ଯୋଗାଇଦେବା ନିମନ୍ତେ “ଓଡିଶା ଉତ୍ଥାନ ମଞ୍ଚର” ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ କରାଯିବା ସହ ଏହି ସମସ୍ତ କାର୍ଯ୍ୟରେ ସାଧୁ ସନ୍ଥମାନଙ୍କର ଭୂମିକା କିପରି ରହିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ଅବସରରେ ସନ୍ଥ ସମାଜର ମୁଖପତ୍ର “ହିତେରତା” ର ଦଶମ ସ୍ମରଣୀକା ଲୋକାର୍ପଣ, ପ୍ରସାଦ ସେବନ, ସାଧୁସନ୍ଥମାନଙ୍କୁ ଶୀତବସ୍ତ୍ରା, ମାସ୍କ ଓପତ୍ରିକାଦି ବିତରଣ କରାଯାଇଥିଲା । ସନାତନ ସନ୍ଥ ସମାଜର କାର୍ଯ୍ଯକାରିଣୀ ସଙ୍ଘ ” ଓଡିଶା ଉତ୍ଥାନ ମଞ୍ଚ (ଓୟୁମ୍) ” ର ଡଃ ବିଶ୍ବନାଥ ରଥ ଏବଂ ସମସ୍ତ କର୍ମକର୍ତ୍ତାଙ୍କ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଶ୍ରୀଯୁକ୍ତ ବାବାଜୀ ଚରଣ ବିଶ୍ବାଳ, ଗୁରୁକୁଲମର ଟ୍ରଷ୍ଟି ଶ୍ରୀ ଆଲୋକ ଦାସ, ଶିଶିର ଜେନା, ଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ଦାଶ ଓ ଅନ୍ଯାନ୍ଯ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସାଧୁ ସନ୍ଥମାନଙ୍କୁ ସହାୟତା ପୂର୍ବକ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଭାପତି ତଥା ଅଧ୍ଯକ୍ଷ ସ୍ବାମୀ ଶ୍ରୀ ଭାଗବତାନନ୍ଦ ସରସ୍ବତୀ ସମସ୍ତଙ୍କୁ ଧନ୍ଯବାଦ ପ୍ରଦାନ ସହ ଜଗତ କଲ୍ଯାଣ ନିମନ୍ତେ ସାମୁହିକ ସ୍ବସ୍ତିମନ୍ତ୍ର ପାଠ ଓ କରୋନା ମହାମାରୀର ସମ୍ପୂର୍ଣ୍ଣ ବିଲୋପ ନିମନ୍ତେ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here