ଏଥର ସମ୍ଭାଳ ବ୍ୟୁରୋ (ବାରିପଦା) – ଔଷଧ ବଦଳରେ ମିଳିଲା ମାଡ । କେବଳ ମାଡ ନୁହେଁ ଅପରେସନ ବ୍ଲେଡରେ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜର ପାଞ୍ଜପୀଢ ଉପଖଣ୍ଡ କରଞ୍ଜିଆ ହସ୍ପିଟାଲରେ । ମେଡିକାଲକୁ ଆସିଥିବା ଜଣେ ରୋଗୀ ଡାକ୍ତରଙ୍କୁ ଦେଖା କରିଥିଲେ । ଡାକ୍ତର ଜଣକ ତାଙ୍କର ଟ୍ରିଟମେଣ୍ଟ କରି ମେଡିକାଲ ପରିସରରେ ଥିବା କାଉଣ୍ଟରରୁ ମେଡିସିନ୍ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ରୋଗୀଙ୍କ ସମ୍ପର୍କୀୟ ରହିତ ଦାସଅଧିକାରୀ କାଉଣ୍ଟର ଜାଣିନପାରିବାରୁ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଏ ବାବଦରେ ପଚାରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ରହିତ ଏହି ଘଟଣା ପରେ ସେଠାରୁ ଚାଲିଆସିଥିଲେ । କିନ୍ତୁ କିଛି ସମୟ ପରେ ମେଡିକାଲ କର୍ମଚାରୀ ତାଙ୍କୁ ପୁଣି ଥରେ ଡକେଇ ଯୁକ୍ତିତର୍କ କରିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ରହିତଙ୍କ ପେଟ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ଏହି ଘଟଣା ପରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ତେବେ ମେଡିକାଲ ଯାଇ ଥିବା ଜଣେ ରୋଗୀ ପ୍ରଥମେ ଶୋଷଣ ଏହାପରେ ଆକ୍ରମଣର ଶିକାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି । ସେପଟେ ମେଡିକାଲ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଏଭଳି ଆଚରଣ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନନେଇ ପାଲଟା ରୋଗୀମାନଙ୍କୁ ନାଲି ଆଖି ଦେଖାଇବାକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।