!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ବାଲ୍ୟ ବିବାହ ନିଷେଧ, କିଶୋରୀ ସଶକ୍ତିକରଣ ପାଇଁ ‘ପ୍ରଚେଷ୍ଟା’ ଅଭିଯାନ ମାଧ୍ୟମରେ ଗାନ୍ଧୀ ଜୟନ୍ତୀରେ ଜିଲ୍ଲାର ୧୮୨ ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମସଭାରେ ବାଲ୍ୟ ବିବାହ, ଶିଶୁ ସୁରକ୍ଷା,ଶିଶୁ ଶ୍ରମିକ ସମ୍ବନ୍ଧିତ ସମସ୍ୟା ଓ ସମସ୍ତ ସ୍କୁଲ ଯିବା ବୟସର ପିଲା ବିଦ୍ୟାଳୟକୁ ଯିବା ସମ୍ବନ୍ଧରେ ଆଲୋଚନା ହୋଇଥିଲା।ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଗ୍ରାମସଭାର ଅଧ୍ୟକ୍ଷ ତଥା ସରପଞ୍ଚଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହକୁ ନା’ କରି ଗୋଟିଏ ଦିନରେ ୧ ଲକ୍ଷ ଲୋକ ଶପଥ ଗ୍ରହଣ କରିଛନ୍ତି।ପୁଅକୁ ୨୧ ବର୍ଷ, ଝିଅକୁ ୧୮ ବର୍ଷ ପୂର୍ବରୁ ବିବାହ ନ କରିବା ପାଇଁ ଗ୍ରାମସଭାରେ ନିଷ୍ପତ୍ତି ହୋଇଛି।ନିୟମ ଉଲ୍ଲଂଘନ କଲେ ୨ ବର୍ଷ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା ହେବ ବୋଲି ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗ୍ରାମସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ।

ବାଲ୍ୟ ବିବାହ ସଂପର୍କରେ ଖବର ପାଇଲେ ତୁରନ୍ତ ୧୦୯୮ ଚାଇଲଡ୍ ଲାଇନ୍,୧୧୨ ପୁଲିସଏବଂ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ସରପଞ୍ଚ, ସ୍ଥାନୀୟ ଅଙ୍ଗନବାଡି କର୍ମୀ,ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି।ନିର୍ବନ୍ଧ ସମୟରୁ କିମ୍ବା ବାହାଘର ବିଷୟରେ ଆଲୋଚନା ସମୟରେ ଝିଅ ଓ ପୁଅର ବୟସ ଯାଞ୍ଚ କରି ନେବା ଆବଶ୍ୟକ ଓ ବୟସ ଯାଞ୍ଚ ପାଇଁ ଜନ୍ମ ପ୍ରମାଣପତ୍ର କିମ୍ବା ବିଦ୍ୟାଳୟରେ ପାଠ ପଢିଥିବା ସାର୍ଟିଫିକେଟ ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଇଛି।ଆବଶ୍ୟକ ପଡ଼ିଲେ ସେହି ଅଞ୍ଚଳର ଅଙ୍ଗନବାଡିକର୍ମୀଙ୍କ ପାଖରେ ଥିବା ରେଜିଷ୍ଟ୍ରାରରୁ ଯାଞ୍ଚ କରିନେବା ଆବଶ୍ୟକ କିନ୍ତୁ ଜନ୍ମ ସାର୍ଟିଫିକେଟ କିମ୍ବା ବିଦ୍ୟାଳୟ ଦ୍ଵାରା ପ୍ରଦତ୍ତ ସାର୍ଟିଫିକେଟ ହିଁ ଉପଯୁକ୍ତ ମାଧ୍ୟମ ବୋଲି ସଚେତନ କରଯାଇଛି। କୌଣସି ପୁଅ ସହିତ ନାବାଳିକା  ଝିଅ ଯଦି ଅନ୍ୟ ଅଞ୍ଚଳକୁ ପଳାୟନ କରନ୍ତି ତେବେ ତାହା ନାବାଳକ ଚାଲାଣ ଓ ନାବାଳିକା ଚାଲାଣ ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ବୋଲି ଧରି ନିଆଯିବ।୬ରୁ ୧୪ ବର୍ଷର ସମସ୍ତ ଶିଶୁ ବିଦ୍ୟାଳୟରେ ପାଠ ପଢିବା ଆବଶ୍ୟକ। ଯେଉଁ ଶିଶୁମାନେ ବିଦ୍ୟାଳୟକୁ ଯାଉ ନାହାନ୍ତି ସେମାନଙ୍କୁ ପଠାଇବା ପାଇଁ ଅଭିଭାବକଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ନିଆଯାଇଛି।ଜିଲ୍ଲା ପଞ୍ଚାୟତ ଅଧିକାରୀ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା,ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ସମସ୍ତ ବିଡ଼ିଓ,ଅତିରିକ୍ତ ବିଡ଼ିଓ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରମୁଖ ଗ୍ରାମସଭାରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here