!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲାରୁ ଜିଲ୍ଲା ବାହାରକୁ ତଥା ରାଜ୍ୟ ବାହାରକୁ ଗଂଜେଇ ଚୋରା ଚାଲାଣ ପାଇଁ ବ୍ୟବସାୟୀମାନେ ଏବେ ବିଭିନ୍ନ ପ୍ରକାର ନୂଆ ଉଦ୍ୟମଗୁଡିକର ସାହାରା ନେଉଛନ୍ତି।ଆଜି କୋରିୟର ମାଧ୍ୟମରେ କାନପୁରକୁ ଗଂଜେଇ ଚୋରା ଚାଲାଣ କରିବା ପାଇଁ ବୁକିଂ କରିବାକୁ ଆସିଥିବା ଜଣେ ଯୁବକଙ୍କୁ ସନ୍ଦେହ କରି ରାୟଗଡା ଟାଉନ ଥାନାରେ ଅଟକ ରଖାଯାଇ ସେ ଆଣିଥିବା ପାର୍ସଲକୁ ଜବତ କରାଯାଇଛି।ତେବେ ଅଟକ ଯୁବକଙ୍କ ଅସଲ ପରିଚୟ ମିଳିପାରି ନ ଥବା ବେଳେ ସେ ନିଜକୁ ଶୁଭମ୍ ନାୟକ ବୋଲି ପରିଚୟ ଦେଉଥୁବା ଜଣାପଡିଛି।ଏ ନେଇ ରାୟଗଡା ଥାନା ପୋଲିସ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ବକ୍ସକୁ ଓଜନ କରାଯିବ ବୋଲି ଜଣାପଡିଥିବା ବେଳେ ଆନୁମାନିକ ଭାବେ ଏହା ପାଖାପାଖି ୩୦କେଜିର ଗଂଜେଇ ରହିଥିବା ପ୍ରାଥମିକ ତଦନ୍ତରେ ସନ୍ଦେହ କରାଯାଉଛି।କୋରିୟରରେ କାର୍ଯ୍ୟରତ କର୍ମଚାରୀଙ୍କ ବୁଦ୍ଧି ଯୋଗୁଁ ଗଂଜେଇ ଚୋରା ଚାଲାଣର ଏକ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇପାରିଛି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି।ଗତ ସେପ୍ଟେମ୍ବର ୧୭ତାରିଖରେ ରାୟଗଡା ସହରସ୍ଥିତ ନ୍ୟୁ କଲୋନୀର ହୋଟେଲ ସ୍ବାଗତ ରୋଡରେ ଥୁବା ଦି ପ୍ରୋଫେସନାଲ କୋରିୟରରେ କାନପୁରର ସନିଗାଁଓର ଭାବନଗର ଠିକଣାରେ ରହୁଥିବା କ୍ରିଷ୍ଣା ସିଂଙ୍ଗ ନାମକ ବ୍ୟକ୍ତିଙ୍କୁ ରାୟଗଡା କଲେଜ ରୋଡର ରବିନ୍ଦ୍ର ନାୟକ ନାମକ ବ୍ୟକ୍ତିଙ୍କ ଠିକଣାରୁ ଏକ ବଡ ପାର୍ସାଲ ବୁକିଂ କରାଯାଇ ପଠାଯାଇଥିଲା।
ରାୟଗଡା ରୁ ଭୁବନେଶ୍ବର ଯାଉଥିବା ନୀଳକଣ୍ଠେଶ୍ବର ବସରେ କୋରିୟର ସଂସ୍ଥା ପକ୍ଷରୁ ଉକ୍ତ ବକ୍ସଟି ପଠାଯାଇଥିବା ବେଳେ ବ୍ରହ୍ମପୁର ଠାରେ ପୋଲିସ ଯାଞ୍ଚ ବେଳେ ଉକ୍ତ ବକ୍ସରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା।ଏ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ କୋରିୟର ସଂସ୍ଥାକୁ ଗତକାଲି ଅବଗତ କରାଯାଇଥିଲା।ଇତି ମଧ୍ୟରେ ପୁଣିଥରେ ଆଜି ଉକ୍ତ ଯୁବକ ଜଣକ ସନ୍ଧ୍ୟାରେ ଏକ ବକ୍ସ ସେହି ଠିକଣାରେ ବୁକିଂ କରିବାକୁ ଆସି ଉକ୍ତ ବକ୍ସରେ ବାଦାମ ରହିଥିବା କହିଥିବା ବେଳେ କୋରିୟର ସଂସ୍ଥାର କର୍ମଚାରୀ ଏମ.ଏସ.ରାଓ ସନ୍ଦେହ କରି ବକ୍ସଟିକୁ କାର୍ଯ୍ୟାଳୟ ଭିତରେ ରଖୁବାକୁ କହି ବାହାର ପଟୁ ସଟ୍ଟର ବନ୍ଦ କରି ଦେଇଥିଲେ।ପରେ ତୁରନ୍ତ ୧୧୨ ନମ୍ବରକୁ ଡାଏଲ କରି ଘଟଣା ସଂପର୍କରେ ଖବର ଦେବା ପରେ ପୋଲିସ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରି ରାୟଗଡା ଥାନାରେ ଅଟକ ରଖୁଥିବା ଜଣାପଡିଛି।ଏ ନେଇ ରାୟଗଡା ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ଶ୍ରୀ ରଶ୍ମିରଂଜନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।