ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିଯୁକ୍ତି ଦାବିରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ନେତୃତ୍ୱରେ ହଜାର ହଜାର ଯୁବକଯୁବତୀ ଆଜି ବିଧାନସଭା ଘେରାଉ ପାଇଁ ଯିବା ସମୟରେ ପୁଲିସ କେବଳ ଯେ ସେମାନଙ୍କର ପଥରୋଧ କରିଥିଲା ତା ନୁହେଁ, ସେମାନଙ୍କ ଉପରେ ଲାଠିମାଡ଼ ବର୍ଷା ମଧ୍ୟ କରିଥିଲା। ପୁଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ୫ଜଣ ଯୁବନେତା ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ରାଜ୍ୟର ହଜାର ହଜାର ଯୁବକ ବିଧାନସଭା ଘେରାଉ କରିବାକୁ ଯାଉଥିବାବେଳେ ପୁଲିସ ଲଗାଇ ସେମାନଙ୍କୁ ମାଡ଼ ମରାଯାଇଛି। ପୁଲିସ ମାଡ଼ରେ ବିଜେପି ଯୁବମୋର୍ଚ୍ଚା ଜାତୀୟ ଉପସଭାପତି ଠାକୁର ରଣଜିତ୍ ଦାସ, ଯୁବନେତା ଅସିତ ମହାନ୍ତି, ଅରୂପା ଦିବାକ, ବିପ୍ଲବ ସଂଖ୍ୟାଲ, ସନ୍ତୋଷ କୁମାର ବୁଟିଆ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ସରକାର ନିଯୁକ୍ତିର ହତ୍ୟା କରିଛନ୍ତି। ଏ ସରକାର ଏବେ ବୁଢ଼ା ବାଘର କଙ୍କଣ ଉପାଖ୍ୟାନ ଭଳି କାଳିଆ ଆଉ ବିଜୁ ଯୁବ ବାହିନୀ ପରି ଯୋଜନା କରି ଓଡ଼ିଆ ଯୁବକମାନଙ୍କ ସହ ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଆଜି ବେରୋଜଗାର ସମସ୍ୟାରେ ଜର୍ଜରିତ ଯୁବବର୍ଗ ରାଜ୍ୟ ସରକାରଙ୍କୁ ନିଯୁ୍କ୍ତି ମାଗିବା ପାଇଁ ଯିବା ସମୟରେ ସରକାରୀ ଗୁଣ୍ଡା ସାଜି ପୁଲିସ ଆକ୍ରମଣ କରୁଛି। ପୁଲିସର ବର୍ବରତା ବ୍ରିଟିଶ ଶାସନର ଗୁଣ୍ଡାରାଜଠୁ ବଳିଗଲାଣି ବୋଲି ବିଜେପି ଯୁବମୋର୍ଚ୍ଚା କହିଛି।
୨୦୦୯ରେ ହୋଇଥିବା ରାଜ୍ୟ ଇ‘ଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ୯୦% ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକ ଭାବେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ। ସେହିପରି କୁଶଳୀ କ୍ଷେତ୍ରରେ ୬୦%, ସୁପରଭାଇଜର କ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟ ଓଡ଼ିଆ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ। ହେଲେ ଏ ସରକାରୀ ଦଳର ଲୋକମାନେ ପିସି କାରବାର କରି ଅଣଓଡ଼ିଆ ପିଲାଙ୍କୁ ନିଯୁକ୍ତି ଦେଉଛନ୍ତି। ଆମର ଲୁହା ପଥର, ଆମର କୋଇଲା, ଆମର ପାଣି ଯାଉଛି ହେଲେ ନିଯୁକ୍ତି ପାଉଛନ୍ତି ଅଣଓଡ଼ିଆ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସରକାରୀ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ଦେବାକୁ ସରକାର କୁଣ୍ଠାବୋଧ କରୁଚନ୍ତି। ରାଜ୍ୟରେ ୭୦ଭାଗ ସରକାରୀ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ଏବେ ଅଧ୍ୟାପକ ଓ ଶିକ୍ଷକ ପଦବୀ ଖାଲିଥିବାବେଳେ ଡିଗ୍ରୀଧାରୀ ଯୁବକଯୁବତୀମାନେ ବେକାର ହୋଇ ବସିରହିଛନ୍ତି।