ଓଡ଼ିଶା ଏମ୍‌ଏସ୍‌ଏମ୍ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା : ଭାରତ-ଭିଏତ୍‌ନାମ ବାଣିଜ୍ୟ କାରବାର ୪୦% ବଢ଼ିଛି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟର ଅର୍ଥନୀତିକୁ ଏମ୍‌ଏସ୍‌ଏମ୍ଇଗୁଡିକର ଯୋଗଦାନ ଅନନ୍ୟ। ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦେଶ୍ୟରେ ରାଜ୍ୟ ସରକାର ଏମ୍‌ଏସ୍‌ଏମ୍ଇ କ୍ଷେତ୍ରକୁ ପ୍ରଧାନ୍ୟ ଦେବା ସହ ଅନେକ ଶିଳ୍ପ ଅନୁକୂଳ ନୀତି ପ୍ରଣୟନ କରିଥିବା ଓଡ଼ିଶା ଏମ୍‌ଏସ୍‌ଏମ୍ଇ ଅନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୧୯ ଅବସରରେ ଏମ୍‌ଏସ୍‌ଏମ୍ଇ ଓ ରପ୍ତାନୀକାରୀଙ୍କୁ ଋଣ ଓ ବିପଣନ ସଂଯୋଗ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଏମ୍‌ଏସ୍‌ଏମ୍ଇ ମନ୍ତ୍ରୀ ପ୍ରଫୁଲ ସାମଲ କହିଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ଭିଏତନାମ୍‌ ରାଷ୍ଟ୍ରଦୂତ ମି. ଫାନ୍ ସାନ୍ସ ଚାଉ ଓଡ଼ିଶାର ଏମ୍‌ଏସ୍‌ଏମ୍ଇଗୁଡିକୁ ଖାଦ୍ୟ ପ୍ରକ୍ରିୟାକରଣ, ଯାତ୍ରା ଓ ପର୍ଯ୍ୟଟନ, ଔଷଧ, ସ୍ବାସ୍ଥ୍ୟସେବା, ହସ୍ତତନ୍ତ କ୍ଷେତ୍ରରେ ଭିଏତନାମ ସହିତ ବାଣିଜ୍ୟ କାରବାର କରିବାକୁ ଆମନ୍ତ୍ରଣ କରିଥିଲେ। ୨୦୧୮ ମସିହାରେ ଭାରତ ଓ ଭିଏତନାମା ମଧ୍ୟରେ ବାଣିଜ୍ୟିକ କାରବାର ୪୦% ବୃଦ୍ଧି ପାଇଥିବାରୁ ସେ ସନ୍ତୋଷବ୍ୟକ୍ତ କରିଥିଲେ। ସେ ଓଡ଼ିଶାର ବିଭିନ୍ନ ଶିଳ୍ପସଂଘ ସହିତ ବାଣିଜ୍ୟ ସମ୍ପର୍କିତ ଆଲୋଚନା କରିଥିଲେ। ଏଥିରେ ଏମ୍‌ଏସ୍‌ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା କହିଲେ, ଏମ୍‌ଏସ୍‌ଏମ୍ଇ କ୍ଷେତ୍ର ମୁଖ୍ୟତଃ ଅଣୁ କ୍ଷେତ୍ର ଉପରେ ପର୍ଯ୍ୟବସିତ। ପ୍ରାୟ ୯୯ପ୍ରତିଶତ ଉଦ୍ୟୋଗ ଋଣ ଉଦ୍ୟୋଗ ଶ୍ରେଣୀର।
ଏହି ପରିପ୍ରେକ୍ଷୀରେ ଭାରତ ସରକାର ଓଡ଼ିଶାର ଏମ୍‌ଏସ୍‌ଏମ୍ଇଗୁଡିକର ସ୍ଥିତି ସମ୍ପର୍କରେ ଏକ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ। ଏହି ଆଲୋଚନାଚକ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ବର ଆଞ୍ଚଳିକ ନିର୍ଦେଶକ ଏମ୍.କେ. ମଲ ଏମ୍‌ଏସ୍‌ଏମ୍ଇଗୁଡିକୁ ଋଣ ଯୋଗାଣ ସମ୍ପର୍କିତ ରିଜର୍ଭ ବ୍ୟାଙ୍କର ନିୟମାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ସାଧାରଣ ପ୍ରବନ୍ଧକ ପ୍ରବୀଣା କାଲା ଋଣ ପରିଶୋଧ ସଂସ୍କୃତି ଓ ଋଣ ପ୍ରାପ୍ତି ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
ରାଜ୍ୟର ଏମ୍‌ଏସ୍ଏମ୍‌ଇଗୁଡିକୁ ବିପଣନ ସହାୟତା ସହ ଅନ୍ୟ ଆନୁଷଙ୍ଗିକ ସାହାଯ୍ୟ ଯୋଗାଇଦେବା ଲାଗି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଆଇସି ସିଏମ୍‌ଡି ସୁଧୀର ଗର୍ଗ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ସହ ଏକ ଏମ୍‌ଓୟୁ ସ୍ବାକ୍ଷର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ​‌ଷ୍ଟିଲ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ଲିମିଯଟଏମ୍‌ଡି ଅାଶିଷ ମାଥୁର , ଓଏସ୍‌ଆଇସି ଅଧ୍ୟକ୍ଷ ହିମାଂଶୁ ଶେଖର ମିଶ୍ର, ଶିଳ୍ପ ନିର୍ଦେଶକ ପ୍ରଣବ ଜ୍ୟୋଜି ନାଥ ଏବଂ ବାଣିଜ୍ୟ ନିର୍ଦେଶକ ଏସ୍‌.କେ. ଜେନା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *