କଂଗ୍ରେସରେ ତାରାଙ୍କୁ ଏକଘରିକିଆ ପାଇଁ ରଣନୀତି, ନେତୃତ୍ୱ ନେଲେ ପ୍ରଦୀପ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ କଂଗ୍ରେସରେ ଏକଘରିକିଆ କରିବା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେଡି ପାଇଁ କାମ କରୁଥିବା ନେଇ ଗଣମାଧ୍ୟମରେ ବୟାନ ଦେଇଥିବା ତାରାଙ୍କୁ କଂଗ୍ରେସରେ ସାଇଡଲାଇନ୍ କରିବାକୁ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ସକ୍ରିୟ ହୋଇଛି। ତାରାଙ୍କ ବିରୋଧୀ ଭାବେ ପରିଚିତ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ କାନ୍ଧରେ ବନ୍ଧୁକ ରଖି ଏବେ ତାରା ଓ ତାଙ୍କ ପତ୍ନୀ ମିନାକ୍ଷୀଙ୍କୁ କୋରାପୁଟ ଜିଲ୍ଲା ସଂଗଠନ ଓ ରାଜ୍ୟ ସଂଗଠନରେ ଏକଘରିକିଆକୁ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଗତ କିଛିଦିନ ତଳେ ଶ୍ରୀ ବାହିନୀପତି ରାଜ୍ୟରେ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କୁ ଖୋଲାଖୋଲି ବିରୋଧ କରି ଗଣମାଧ୍ୟମରେ ପିସିସି ସଭାପତିଙ୍କ ବିରୁଦ୍ଧରେ ବୟାନ ଦେଇଥିଲେ। ଯାହା ଉପରେ ପ୍ରତିକ୍ରିୟା ଦେବାକୁ ପିସିସି ସଭାପତି ମନା କରିଦେଇଥିବାବେଳେ ଆଜି ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ ସିଧାସଳଖ କଡ଼ା ଭାଷାରେ ତାରାଙ୍କୁ ଚେତାବନୀ ଦେବାକୁ ପଛାଇ ନାହାନ୍ତି । ବିଶୃଙ୍ଖଳାକୁ କଦାପି ପିସିସି ବରଦାସ୍ତ କରିବ ନାହିଁ କିମ୍ବା ଆଦିବାସୀମାନଙ୍କ ଉପରେ କାହାରି ଆଧିପତ୍ୟରେ କାର୍ଯ୍ୟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହିତ ଶ୍ରୀ ମାଝୀ ମଧ୍ୟ ପିସିସି ପକ୍ଷରୁ ସାଂସଦ ଶ୍ରୀ ଉଲାକାଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ଡକାଯାଇଥିଲା ଓ ସାଂସଦଙ୍କର କୌଣସି ଭୁଲ୍ ନାହିଁ ବୋଲି ସ୍ପଷ୍ଟ କରି ତାରାଙ୍କୁ କଡ଼ା ଜବାବ ଦେଇଛନ୍ତି । ତାରା ଦଳର କୌଣସି ପଦବୀରେ ନାହାନ୍ତି, କିନ୍ତୁ ଜିଲ୍ଲାର ୧୨ଜଣ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ତାରା ସବୁବେଳେ ଟାର୍ଗେଟ୍ କରୁଛନ୍ତି । ଯାହାକି ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍ତି । ତେବେ ଶ୍ରୀ ମାଝୀଙ୍କ ବୟାନ ଉପରେ ତାରା ପାଲଟା ଜବାବ ରଖିଛନ୍ତି । ଆଦିବାସୀଙ୍କ ପାଇଁ କାମ ଯଦି କରୁଛନ୍ତି ତା’ହେଲେ ପ୍ରଦୀପ ମାଝୀ କାହିଁକି ଦୁଇଥର ହାରିଲେଣି ବୋଲି ତାରା ପ୍ରଶ୍ନ କରିଛନ୍ତି । ପିସିସି ଯେଉଁ ପର୍ଯ୍ୟବେକ୍ଷକ ତାଲିକା କରିଛି ସେଥିରେ ନିରଞ୍ଜନ ପଟ୍ଟନାୟକଙ୍କ ମାରୁତି କମ୍ପାନୀରେ କାର୍ଯ୍ୟରତ ଦୁଇଜଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯେତେ ବିଭ୍ରାଟ ହେଉଛି ତାହା ପଛଷର ପ୍ରଦୀପ ମାଝୀ ଅଛନ୍ତି । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରଦୀପ ମାଝୀ ଗାଳି କରନ୍ତି । ସେ ପିସିସିକୁ ଖୋଲା ଚ୍ୟାଲେଞ୍ଜ କରି କହିଛନ୍ତି ଯେ ତାଙ୍କ ସହ ଲଢ଼େଇ କଲେ ତାଙ୍କୁ ପାରିବେନି । ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନିରି ବୁଲି ସେ ବୈଠକ କରିବେ । ସେ ସଚ୍ଚୋଟ ନଥିଲେ ଏତେଥର ବିଧାୟକ ଭାବେ ଜିତିନଥାନ୍ତେ । ପ୍ରଭାରୀ ଆସିଲେ ସେ ତାଙ୍କର ଉତ୍ତର ରଖିବେ ବୋଲି ତାରା କହିଛନ୍ତି । ତେବେ ତାରାଙ୍କର ଏଭଳି ଆଚରଣକୁ କଂଗ୍ରେସ ବିଧାୟକମାନେ ଏବେ ଦୁଇଭାଗ ହୋଇଥିବାବେଳେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଜର ସମର୍ଥକମାନଙ୍କୁ ତାରାଠୁ ଦୂରେଇ ରହିବାକୁ କହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *