ଶାହାଙ୍କୁ ବିଜେଡିର ଜବାବ :​ ବିଜେପି ଭୟଭୀତ, କଂଗ୍ରେସ ସହ ସମ୍ପର୍କ ବକ୍ତବ୍ୟ ହାସ୍ୟାସ୍ପଦ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ସାଲେପୁର ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶାସକ ଦଳ ବିରୋଧରେ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡ଼ି। ବିଜେପି କର୍ମୀଙ୍କ ଭାଙ୍ଗିଯାଇଥିବା ମନୋବଳକୁ ସଜାଡ଼ିବାକୁ ଆସିଥିବା ଶାହା ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ଦେଇଥିବା ବକ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ଦଳ ପକ୍ଷରୁ ପ୍ରତିିକ୍ରିୟା ରଖି ସେ କହିଛନ୍ତି ଯେ କଂଗ୍ରେସ କହୁଛି ବିଜେପି ଓ ବିଜେଡିର ସଂପର୍କ ରହିଛି। ବିଜେପି ଦାବି କରୁଛି ବିଜେଡି ଓ କଂଗ୍ରେସର ସଂପର୍କ ରହିଛି। ବାସ୍ତବରେ ବିଜେଡିର ସଂପର୍କ କେବଳ ଓଡ଼ିଶାର ଜନସାଧାରଣଙ୍କ ସହିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବିଜେପିକୁ ଭୟଭୀତ କରିଛି। ବିଜେଡ଼ି ଭାବିଥିଲା ଶ୍ରୀ ଶାହା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି , ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି, ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିର ଅର୍ଥ କାଟ ପ୍ରସଙ୍ଗରେ ମତ ରଖିବେ। କିନ୍ତୁ ସେମିତି କିଛି ଦେଖିବାକୁ ମିଳିଲାନି। ଓଡ଼ିଶା ଆଗଉଥିବାବେଳେ କେନ୍ଦ୍ର ସରକାର ବିଜେଡି ଶାସିତ ରାଜ୍ୟ ଉପରେ ପୁରସ୍କାର ପରେ ପୁରସ୍କାର ଅଜାଡ଼ି ଚାଲିଛନ୍ତି। ୨୦ଲକ୍ଷ ବିଜୁ ପକ୍କାଘର ନିର୍ମାଣ, ୪୧ ହଜାର କିମି ଗାଁ ରାସ୍ତା, ୯ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ, ରାଜ୍ୟରେ ୨୫ ପ୍ରତିଶତ ଦାରିଦ୍ର୍ୟ ଦୂରୀକରଣ ଏବଂ କୃଷିକର୍ମଣ ପୁରସ୍କାର ପାଇଁ କେନ୍ଦ୍ର ସରକାର ଓ ତାଙ୍କ ମନ୍ତ୍ରୀ ଓଡ଼ିଶାକୁ ବାରମ୍ବାର ପ୍ରଶଂସା କରିଆସିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ପାଖରେ ୬୪୦୦କୋଟି ଟଙ୍କା ପଡ଼ିରହିଛି ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କଳରେ କହିଥିଲେ।

ପାନୀୟ ଜଳ, ସ୍ମାର୍ଟସିଟି ଦାରିଦ୍ର୍ୟ ଦୂରୀକରଣ ବାବଦ ଅର୍ଥ ଦେଇନାହାନ୍ତି। ମହାନଦୀ, ପୋଲାଭରମ୍‍, ୩୩ଟି ଯୋଜନାର ଅର୍ଥକାଟ୍‍ ଏବଂ ଆଇଏପି, ବିଆର୍‍ଜିଏଫ୍‍ ଓ କେବିକେ ଯୋଜନା ଭଳି ୮ଟି ଯୋଜନାକୁ ବନ୍ଦ କରିବା ଆଦି ପ୍ରସଂଗଗୁଡିକ ବିଜେପିର ଓଡ଼ିଶା ବିରୋଧୀ ନୀତିକୁ ପଦାରେ ପକାଇଛି। ଓଡ଼ିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରିବାକୁ ମନ ସ୍ଥିର କରିଥିବାବେଳେ ବାସ୍ତବତାକୁ ସ୍ୱୀକାର କରିବା ପାଇଁ ବିଜେପି ଏବଂ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *