ସେଲଫି ବେବୋ ମୃତ୍ୟୁ ଘଟଣା ; ଦୁଇଦିନିଆଁ ରିମାଣ୍ଡରେ ଅଭିଯୁକ୍ତ ଯୁବରାଜ, ମାଆଁ ଓ କାକା ଫେରାର !

ଏଥର ସମ୍ଭାଳ ବ୍ୟୁରୋ (ବୁର୍ଲା) – ବହୁଚର୍ଚ୍ଚିତ ସେଲଫି ବେବୋ ସିମ୍ରନ ସିଂ ମୃତ୍ୟୁ ମାମଲାରେ କୋର୍ଟଙ୍କ ନିର୍ଦେଶ କ୍ରମେ ବୁର୍ଲା ପୁଲିସ ଅଭିଯୁକ୍ତ ଯୁବରାଜ ସୁନା ଓରଫ ୟୁଗ୍‌କୁ ଆଜି ୨ ଦିନିଆଁ ରିମାଣ୍ଡରେ ଆଣି ପଚରା ଉଚରା କରୁଛି। ମାମଲାରେ ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ଯୁବରାଜର ମାଆ ଓ କାକା ରୁକୁ ସୁନା ଫେରାର ଥିବା ପୁଲିସ ସୂତ୍ରରୁ କୁହାଯାଇଛି।
ସୂଚନା ଥାଉକି, ଗତ ୩ ତାରିଖ ସକାଳେ ମହାନଦୀ ବ୍ରିଜ୍‌ ତଳୁ ସିମ୍ରନ ସିଂଙ୍କ ଶବ ଉଦ୍ଧାର କରାଯିବା ପରେ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହାପରେ ୧୦ତାରିଖରେ ସିମ୍ରନଙ୍କ ପିତା ବ୍ରିଜେଶ ସିଂ ବୁର୍ଲା ଥାନାରେ ଏକ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ କରିବା ପରେ ପୁଲିସ କେସ ନମ୍ବର ୧୧/୨୦୧୯ରେ ଅଭିଯୁକ୍ତ ଯୁବରାଜ ସମେତ ତାହାର ମା’ ବୈଜନ୍ତୀ ସୁନା ଓ କାକା ରୁକୁ ସୁନାଙ୍କ ନାମରେ ଦଫା ୩୦୨ରେ ଏକ ହତ୍ୟାମାମଲା ରୁଜୁ କରି ଉପରୋକ୍ତ ଅପମୃତ୍ୟୁ ମାମଲାକୁ ଟ୍ୟାଗ୍‌ କରିଥିଲେ।ଅନ୍ୟପକ୍ଷରେ ଗତ ୫ତାରିଖରେ ବେଲପଡ଼ା ପୁଲିସ ଅଭିଯୁକ୍ତ ଯୁବରାଜକୁ ଗିରଫ କରି ସର୍ବପ୍ରଥମେ ଅପହରଣ ଓ ନାବାଳିକା ସହ ଶାରୀରିକ ସମ୍ପର୍କ ସ୍ଥାପନ ଅଭିଯୋଗ ହୋଇଥିବା ଝାରସୁଗୁଡ଼ା ଥାନାକୁ ହସ୍ତାନ୍ତର କରିଥିଲା। ୬ ତାରିଖରେ ଝାରସୁଗୁଡ଼ା ପୁଲିସ ଯୁବରାଜକୁ କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖିଥିଲା। ଏହାବ୍ୟତିତ ବ୍ରିଜେଶ ସିଂଙ୍କ ଅଭିଯୋଗ ଆଧାରରେ ଗତ ୧୩ତାରିଖରେ ପୁଲିସ ବେଲପଡ଼ାରେ ଯୁବରାଜର ମା’ଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ସେ ନ ଥିବାରୁ ଲଟକା ଜାରି କରିଥିଲା। ଅନୁରୂପ ଭାବେ ବଲାଙ୍ଗିରରେ ରୁକୁ ସୁନା ନିଜ ଘରେ ଅନୁପସ୍ଥିତ ଥିବାରୁ ତାଙ୍କ ପତ୍ନୀ ନୋଟିସ ଗ୍ରହଣ କରିଥିଲେ। ତେବେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇ ସାରିଥିବାରୁ ସେମାନଙ୍କୁ ଫେରାର ଘୋଷଣା କରାଯାଇଛି ବୋଲି ଥାନାଧିକାରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ସିମ୍ରନ ମୃତ୍ୟୁ ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟାମାମଲା ବୋଲି କୌଣସି ପ୍ରମାଣ ମିଳି ନ ଥିବା ବେଳେ ପରିବାରର ଅଭିଯୋଗ ପରେ ସମଗ୍ର ମାମଲା ରହସ୍ୟାବୃତ୍ତ ହୋଇ ରହିଛି। ଏହି ଘଟଣାକୁ ନେଇ ବିଭିନ୍ନ ଦିଗ ଉପରେ ତଦନ୍ତ କରାଯିବା ପରେ ଯାଇ କୌଣସି ନିସ୍କର୍ଷ ବାହାରି ପାରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
ତେବେ ରିମାଣ୍ଡ ଅବଧି ଶେଷ ପରେ ସେଲଫି ବେବୋ ମୃତ୍ୟୁ ଘଟଣା ଉପରୁ ପରଦା ଉଠିବ ବା କେଉଁ ଲୁକ୍କାୟିତ ରହସ୍ୟ ଉନ୍ମୋଚିତ ହେବ ତାକୁ ନେଇ ଆଲୋଚନା ହେଉଛି। ଦୁଇଦିନିଆଁ ରିମାଣ୍ଡରେ ଜେରା କରାଯିବା ପରେ ଯୁବରାଜଙ୍କ ଠାରୁ କେଉଁ ଖିଅ ପୁଲିସ ପାଉଛି ନା ହାତ ଖାଲି ରହିବ ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *