୫ ମାସ ଧରି ସୋଲାର ପାନୀୟ ଜଳ ଯୋଗାଣ ଅଚଳ ; ଝରଣା ପାଣିରେ ମେଣ୍ଟୁଛି ଶୋଷ …..!
!!! ରାୟଗଡା ଜିଲ୍ଲା କୋଲନରା ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ମୁକୁନ୍ଦପୁର)- ରାୟଗଡା ଜିଲ୍ଲା କୋଲନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାର୍ଣିପାଡୁ ଗାଁରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା। ଉକ୍ତ ଗାଁରେ ୬୦ଟି ଆଦିବାସୀ ପରିବାର ବାସ କରୁଥିବା ବେଳେ ଗାଁରେ ପ୍ରାୟ ୪ ଶହ ଲୋକେ ରହୁଛନ୍ତି। ରେଖାପଦର ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ୩ କିଲୋମିଟର ଦୂରରେ କାର୍ଣିପାଡୁ ଗାଁ ରହିଛି। ଉକ୍ତ ଗାଁରେ ୨ଟି ନଳକୂପ ରହିଥିବା ବେଳେ ଗୋଟିଏ ନଳ କୂପରୁ କାଦୁଅ ପାଣି ବାହାରୁଛି ଯାହା ପିଇବା ଅନୁପଯୋଗୀ ଏବଂ ଅନ୍ୟଟିରେ ସୋଲାର ସିଷ୍ଟମ ଦ୍ୱାରା ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରା ଯାଉଥିଲା। ଯାହା ଦୀର୍ଘ ୫ ମାସ ହେବ ସୋଲାର ପାନୀୟ ଜଳଯୋଗାଣ ଅଚଳ ହୋଇ ପଡିଥିବା ଯୋଗୁଁ ଗାଁର ମହିଳା ମାନେ ଗାଁ ଠାରୁ ଅଧା କିଲୋମିଟର ଦୂରରେ ଥିବା ଏକ ଝରଣାରୁ ପାଣି ସଂଗ୍ରହ କରି ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି।

ଏହି ସୋଲାର ସିଷ୍ଟମ ଲାଗିଥିବା ନଳକୂପରୁ ପାଣି ବାହାରୁ ନ ଥିବା ବିଷୟରେ ନଳକୂପ ମରାମତି କରୁଥିବା କର୍ମଚାରୀ ମାନଙ୍କୁ ଅବଗତ କରିଥିଲେ ମଧ୍ୟ ଏହାର ମରାମତି କରା ଯାଉ ନଥିବା ଯୋଗୁଁ ଗାଁ ଲୋକେ ବାଧ୍ୟ ହୋଇ ଗାଁ ନିକଟରେ ଥିବା ଝରଣା ଜଳ ସଂଗ୍ରହ କରି ରନ୍ଧା କାର୍ଯ୍ୟ ସହ ପାନୀୟ ଜଳ ରୂପେ ବ୍ୟବହାର କରି ବେଳେବେଳେ ବିଭିନ୍ନ ରୋଗର ଆକ୍ରାନ୍ତ ହେଉଥିବା ଗାଁର ୱାର୍ଡ ମେମ୍ବର ଗଙ୍ଗାଧର ବିଡିକା କହିଛନ୍ତି। ଗାଁରେ ସମସ୍ତେ ଦିନ ମଜୁରୀ କରି ଚଳିଥାନ୍ତି। ଗାଁ ଠାରୁ ଝରଣାକୁ ଯିବାକୁ ହେଲେ ମହିଳା ମାନେ ବିଲ ହୁଡାରେ ଏହି ବର୍ଷା ଯୋଗୁଁ ବିପଦ ସଂକୁଳ ଭାବେ ଯାଇ ଜଳ ସଂଗ୍ରହ କରିବାକୁ ପଡୁଛି ବୋଲି ଗାଁର ହାରାକା ସନ୍ଧ୍ୟା କହିଛନ୍ତି। ତେଣୁ ବ୍ଲକ ପ୍ରଶାସନ ତରଫରୁ ଏହି ସମସ୍ୟା ଦୂର କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଗାଁର ହାରାକା ବୃନ୍ଦାବତୀ, ଉଲାକା ଡ୍ରାମ୍ବୀ, ମାଣ୍ଡାଙ୍ଗି ରତ୍ନାଲୁ, ମାଣ୍ଡାଙ୍ଗି କାଞ୍ଚନ ଓ ମାଣ୍ଡାଙ୍ଗି କସ୍ତୁରୀଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

