କିନାରୀମୋଡା ଗ୍ରାମରେ ମୋବାଇଲ ଟାୱାର ଅଛି ହେଲେ ନେଟୱର୍କ ସଂଯୋଗ କେବେ !

!!! ରାୟଗଡା ଜିଲ୍ଲା କୋଲନରା ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା)- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଦୁର୍ଗମ ଅଞ୍ଚଳର ବିକାଶ କରିବା ଦିଗରେ ମେକ୍ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍ ଇନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରତ୍ୟେକ ଗ୍ରାମାଞ୍ଚଳ ସହ ଦୁର୍ଗମ ଅଞ୍ଚଳର ବିକାଶ କରିବା ନେଇ ଡିମଡିମା ପିଟୁଥିବା ବେଳେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ଡିଜିଟାଲ ଇଣ୍ଡିଆ କି ମେକ୍ ଇନ ଓଡିଶା କାର୍ଯ୍ୟକ୍ରମ ପହଞ୍ଚି ପାରୁନାହିଁ। ଖାଲି ସହରାଞ୍ଚଳରେ ତାହା ଦେଖିବାକୁ ମିଳୁଛି। ମୋବାଇଲ ନେଟୱର୍କ ନଥିବା କାରଣରୁ ବିଭିନ୍ନ ସରକାରୀ କାର୍ଯ୍ୟ ସହ ଅଞ୍ଚଳବାସୀ ଏବଂ ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ରେଖାପଦର ପଞ୍ଚାୟତ ଅଧିନ କିନାରୀମୋଡା ଗ୍ରାମରେ ନିର୍ମାଣ କରାଯାଇଥିବା ଜିଓ ନେଟୱର୍କରେ। କିନାରୀମୋଡା ଗ୍ରାମ ନିକଟରେ ଏକ ଜିଓ ମୋବାଇଲ ନେଟୱର୍କ ନିର୍ମାଣ କରାଯାଇଛି। କିନ୍ତୁ ଦୁଃଖର ବିଷୟ ନିର୍ମାଣର ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ କରାଯାଇନାହିଁ। ଯଦି ଉକ୍ତ ଜିଓ ନେଟୱର୍କ କାର୍ଯ୍ୟକ୍ଷମ ହୁଏ ତାହେଲେ ଅଞ୍ଚଳର ୩ ଟି ପଞ୍ଚାୟତ ବାସୀଙ୍କ ସମେତ ଅଞ୍ଚଳର ପ୍ରାୟ ୬ ହଜାର ଲୋକେ ଉପକୃତ ହୋଇ ପାରିବେ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି। ବର୍ତ୍ତମାନ ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ନେଟୱର୍କର ଅସୁବିଧା ଯୋଗୁଁ ଛାତ୍ରଛାତ୍ରୀ ମାନେ ଅନଲାଇନ ପାଠ ପଢା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ସେହିପରି ରେଖାପଦର ଠାରେ ଏକ ପ୍ରାଥମିକ ଚିକିତ୍ସାଳୟ ରହିଥିବା ବେଳେ ସିଗନାଲର ଅସୁବିଧା ପାଇଁ ଉକ୍ତ ମେଡ଼ିକାଲକୁ ଆସିଥିବା ୧୦୮ ଆମ୍ବୁଲାନ୍ସକୁ ୬ କିଲୋମିଟର ଦୂର ମୁକୁନ୍ଦପୁର ଠାରେ ରହଣୀର ବ୍ୟବସ୍ଥା କରାଯାଇଛି ଏବଂ ସିଗନାଲର ଅସୁବିଧା ଯୋଗୁଁ ଗ୍ରାମ ପଞ୍ଚାୟତର କିଛି ଉନ୍ନୟନ ମୂଳକ କାର୍ଯ୍ୟର ଅନଲାଇନ ପଞ୍ଜିକରଣ ସହ କେତେକ ଜରୁରୀ ସେବାରୁ ଲୋକେ ବଞ୍ଚିତ ହେଉଥିବା ସରପଞ୍ଚ ଜୟନ୍ତୀ ତାଡିଙ୍ଗି ପ୍ରକାଶ କରିଛନ୍ତି। ସେହିପରି ଟାୱାର ନିର୍ମାଣ ସ୍ଥାନରୁ ମାତ୍ର ୧.୫ କିଲୋମିଟର ଦୁରତାରେ ଭୋଇମଡା ପଞ୍ଚାୟତ ରହିଥିବା ବେଳେ ସେଠାରେ ମଧ୍ୟ ସିଗନାଲର ଅସୁବିଧା ଯୋଗୁଁ ସମାନ ପରିସ୍ଥିତି ରହିଅଛି। ସିଗନାଲର ଅସୁବିଧା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଓ ନେଟୱର୍କ ପରିଚାଳକ ମ୍ୟାନେଜର ଓ କର୍ମଚାରୀଙ୍କୁ ବହୁବାର ଭେଟି ସିଗନାଲ ଯୋଡିବା ନିମନ୍ତେ ଲିଖିତ ଆକାରରେ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଖୋଦ ସରପଞ୍ଚ ମଧ୍ୟ ଲିଖିତ ଭାବେ ଦେଇଥିଲେ ବି କୌଣସି ଅଧିକାରୀ ପଦକ୍ଷେପ ନେଇ ନଥିବା ଜଣାପଡିଛି। ଖାଲି ସେତିକି ନୁହେଁ କୌଣସି ପ୍ରକାର ଜରୁରୀ କାଳୀନ ପରିସ୍ଥିତିରେ ଗୁରୁତର ରୋଗୀ, ଗର୍ଭବତୀ ମହିଳା ଏବଂ ଅଞ୍ଚଳର କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ନେଟୱାର୍କର ସମସ୍ୟା ଯୋଗୁଁ କାହାକୁ ଯୋଗାଯୋଗ ହେଉନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ କିନାରୀମୋଡା ଗ୍ରାମର ଡମ୍ବୁରୁଧର ସାହୁକାର, ବାବୁଲି ତୋଇକା, ଏ.ପ୍ରସାଦ, ସୁମନ ନାୟକ ଓ ରଘୁନାଥ ସାହୁଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *