ଆୟୁଷ୍ମାନ ଭାରତକୁ ନେଇ ଧର୍ମେନ୍ଦ୍ର ଓ ବବି ଙ୍କ ଟ୍ୱିଟ୍‌ ୱାର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହୋଇନାହିଁ। ଏହାକୁ ନେଇ ପୁଣି ଥରେ ଟ୍ୱିଟ୍‌ ୱାର ଆରମ୍ଭ ହୋଇଛନ୍ତି। ଏଥର ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ। କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌ର କଡ଼ା ଜବାବ ଦେଇଛନ୍ତି ବବି। ଆଉ ବବିଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି ବିଜେପି ନେତା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଓଡ଼ିଶାରେ ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଓଡ଼ିଶାର ଲୋକମାନେ ବିଶେଷ କରି ପ୍ରବାସୀ ଓଡ଼ିଆମାନେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜ୍ୟରେ ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଟ୍ୱିଟ୍‌ କରି ଲେଖିଛନ୍ତି, ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାମ କରୁଥିବା ପ୍ରବାସୀ (ଲୋକ)ମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ। ତେଣୁ ଓଡ଼ିଶାର ଲୋକଙ୍କ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରୁଛି ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରିବାର ଗୋଟିଏ ଦିନ ପରେ ଅର୍ଥାତ ଆଜି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଟ୍ୱିଟ୍‌ କରି ଜବାବ ଦେଇଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ଭାଇ ଧର୍ମେନ୍ଦ୍ର ଆୟୁଷ୍ମାନ ଭାରତ ନେବେ କି? ଆୟୁଷ୍ମାନ ଭାରତର ହିତାଧିକାରୀ ୬୦ ଲକ୍ଷରେ ସୀମିତ। କିନ୍ତୁ BSKY ର ହିତାଧିକାରୀ ୯୬ ଲକ୍ଷ ପରିବାର, ଯାହା ପ୍ରାୟ ଶତ ପ୍ରତିଶତ। ଆୟୁଷ୍ମାନ ଭାରତର କଭରେଜ ସରକାରୀ ହସ୍ପିଟାଲ୍‌ ସମେତ ମାତ୍ର ୫ ଲକ୍ଷ ଟଙ୍କା। କିନ୍ତୁ BSKY ଯୋଜନାରେ ସରକାରୀ ହସ୍ପିଟାଲରେ କୌଣସି ସୀମା ନାହିଁ। ଆୟୁଷ୍ମାନ ଭାରତ ହେଉଛି ଏକ ଇନ୍‌ସ୍ୟୁରାନ୍ସ କିନ୍ତୁ BSKY ହେଉଛି ଏସୁରାନ୍ସ, ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଭରସା। ଧର୍ମେନ୍ଦ୍ର ଭାଇ ଆମେ ମମତା ଯୋଜନା କଲୁ ଆପଣ କଲେ, ଆମେ କାଳିଆ ଯୋଜନା କଲୁ ଆପଣ କଲେ। ଆମେ BSKY କରୁଛୁ, ମୁ ସୁନିଶ୍ଚିତ ଆପଣ ବି କରିବେ ବୋଲି ବବି ଦାସ ଲେଖିଛନ୍ତି। ବବିଙ୍କ ଟ୍ୱିଟ୍‌ର ଜବାବ ଦେଇଛନ୍ତି ବିଜେପି ଛାତ୍ର ନେତା ଟଙ୍କଧର ତ୍ରିପାଠୀ। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଓଡ଼ିଶାର ପ୍ରତି ଜିଲ୍ଲାର ଡାକ୍ତରଖାନାଗୁଡିକରେ ଖାଲିଥିବା ଡାକ୍ତରଙ୍କର ସଂଖ୍ୟା ଦେଖିଲେ, ରାଜ୍ୟର ସ୍ୱାସ୍ଥ୍ୟ ଅବସ୍ଥା ସ୍ପଷ୍ଟ ଜଣାଯାଉଛି। ପର ତିଅଣରେ ଅତିଥି ଚର୍ଚ୍ଚା ଅଭ୍ୟାସ ଛାଡି, ଭୁଲ ତଥ୍ୟରେ ଭୁଆଁ ନ ବୁଲେଇ ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରୁ ବୋଲି ଟଙ୍କଧର ଲେଖିଛନ୍ତି।

Leave a Reply

Your email address will not be published. Required fields are marked *