ଜମି କିଣାରେ ଦୁର୍ନୀତି; ରାମ ମନ୍ଦିର ଟ୍ରଷ୍ଟ ନାଁରେ ଏଫଆଇଆର୍‌…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ହନୁମାନ ଗଡ଼ି ମନ୍ଦିରର ସାଧୁ ମହନ୍ତ ଧର୍ମ ଦାସ ରାମ ମନ୍ଦିର ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ, ସମସ୍ତ ଟ୍ରଷ୍ଟୀ, ବିଧାୟକ ଦୀପ ନାରାୟଣ ଉପାଧ୍ୟାୟ ଓ ଫୈଜାବାଦ ତହସିଲର ସବ୍‌ ରେଜିଷ୍ଟ୍ରାରଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସେ ଉପରୋକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଭଗବାନ ରାମଙ୍କ ପାଇଁ ଭକ୍ତଙ୍କ ଦାନ ଅର୍ଥରେ ନାଜୁଲ ଜମି କିଣାରେ ବ୍ୟାପକ ହେରଫେର କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଧର୍ମ ଦାସ ହେଉଛନ୍ତି ଦିବଂଗତ ମହନ୍ତ ରାମ ଅବିରାମ ଦାସଙ୍କ ଅନୁଗାମୀ। ୧୯୪୯ ମସିହା ଡିସେମ୍ବର ୨୨ ମଧ୍ୟରାତ୍ରରେ ମହନ୍ତ ଅବିରାମ ହିଁ ବିବାଦୀୟ ସ୍ଥଳରେ ଭଗବାନଙ୍କ ବିଗ୍ରହ ସ୍ଥାପନ କରିଥିଲେ। ଧର୍ମ ଦାସ ରାମ ମନ୍ଦିର ବିପ୍ଳବର ଅନ୍ୟତମ ପୁରୋଧା। ରାମ ଜନ୍ମଭୂମି ଟାଇଟଲ ସୁଟ୍‌ରେ ସେ ହିନ୍ଦୁଙ୍କ ପକ୍ଷରୁ ଆବେଦନ କରିଥିଲେ। କିନ୍ତୁ ଏବେ ସେ ରାମ ମନ୍ଦିର ଟ୍ରଷ୍ଟୀମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏଥିସହ ରାମ ଜନ୍ମଭୂମି ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ନାଜୁଲା ଜମି ଦୁଇ ଥର ବିକ୍ରି ହୋଇ ସାରିଥିବା ଖବର ସବ୍ ରେଜିଷ୍ଟ୍ରାର ଜାଣି ନାହାନ୍ତି। ଏହା କେମିତି ସମ୍ଭବ? ଫେବୃଆରୀ ମାସରେ ମହନ୍ତ ଦେବେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଏହି ୬୭୬ ବର୍ଗ ମିଟର ଜମିକୁ ଅଯୋଧ୍ୟାର ମେୟର ଋଷିକେଶ ଉପାଧ୍ୟାୟକଙ୍କ ପୁତୁରା ଦୀପ ନାରାୟଣଙ୍କୁ ବିକ୍ରି କରିଥିଲେ। ୨୦ ଲକ୍ଷ ଟଙ୍କାରେ ସେ ଏହି ଜମିକୁ କିଣିଥିଲେ। ମେ’ ମାସରେ ଦୀପ ନାରାୟଣ ୨.୫ କୋଟିରେ ଉକ୍ତ ଜମିକୁ ରାମ ମନ୍ଦିର ଟ୍ରଷ୍ଟକୁ ବିକ୍ରି କରିଛନ୍ତି। କିନ୍ତୁ ପ୍ରକୃତରେ ଏହି ଜମିର ମୂଲ୍ୟ ଡିଏମ ସର୍କଲ ରେଟ ଅନୁସାରେ ୩୫ ଲକ୍ଷ। ତଥାପି ଟ୍ରଷ୍ଟ ଏହାକୁ ୨.୫ କୋଟି ଟଙ୍କାରେ କିଣିଛି। ଏହି ଜମି କାରବାର ସାକ୍ଷୀ ହେଉଛନ୍ତି ଗୋସାଇଗଞ୍ଜର ବିଜେପି ବିଧାୟକ ଇନ୍ଦ୍ର ପ୍ରତାପ ତିୱାରୀ ଓ ଟ୍ରଷ୍ଟ୍ରୀ ଅନୀଲ ମିଶ୍ରା। ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟଙ୍କ ନିର୍ଦ୍ଦେଶରେ ସବୁ କିଛି ହୋଇଥିବାରୁ ତାଙ୍କୁ ବହିଷ୍କାର କରାଯାଉ। ସେହିପରି ସରକାର ମନ୍ଦିର ନିର୍ମାଣ କାମରେ ଆଦୌ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *