ସ୍ୱାସ୍ଥ୍ୟ କାର୍ଡରୁ କୋଟିଏ ଓଡ଼ିଆଙ୍କୁ କାହିଁକି ବଞ୍ଚିତ କରୁଛ – ନିରଞ୍ଜନ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟର ସାଢ଼େ ୩କୋଟି ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଘୋଷଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିବା ସହ ଆଉ କୋଟିଏ ଓଡ଼ିଆଙ୍କୁ କାହିଁକି ଏଥିରୁ ବଂଚିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟର ୯୭ ଲକ୍ଷ ୫୦ହଜାର ପରିବାର ବା ୩କୋଟି ୩୦ଲକ୍ଷ ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସରକାର ଯୋଗାଇ ଦେବେ। ଏହି ସ୍ୱାସ୍ଥ୍ୟ କାର୍ଡରେ ପ୍ରତି ପରିବାର ବାର୍ଷିକ ୫ଲକ୍ଷ ଟଙ୍କାର ଚିକିତ୍ସା ସେବା ୨୦୦ରୁ ଅଧିକ ବେସରକାରୀ ମେଡିକାଲରେ ପାଇବାକୁ ହକଦାର ହେବେ। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ଓଡ଼ିଶାର ପାଖାପାଖି କୋଟିଏ ଲୋକ ଏହି ସେବା ପାଇବାରୁ ବଂଚିତ କାହିଁକି ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ କୋଟିଏ ଲୋକଙ୍କୁ ସରକାର ସ୍ମାର୍ଟ କାର୍ଡରୁ ବଂଚିତ କରୁଛନ୍ତି ସେମାନଙ୍କ ମଧ୍ୟରେ ପ୍ରାୟ ୯୦ଲକ୍ଷ ଲୋକଙ୍କର ୫ଲକ୍ଷ ଟଙ୍କା ତ ଦୂରର କଥା ଲକ୍ଷେ କି ଦୁଇଲକ୍ଷ ଟଙ୍କା ବାର୍ଷିକ ଡାକ୍ତରଖାନାରେ ଖର୍ଚ୍ଚ କରିବାର ସମ୍ବଳ ନାହିଁ। ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଅବା ନିଜେ ସ୍ୱାଧୀନ ଭାବେ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକମାନେ ହିଁ ସରକାରଙ୍କ ଏହି ଘୋଷଣାରେ ଅଧିକ ପ୍ରଭାବିତ ହେବେ। ପଡ଼ୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାର୍ନାଜୀ ବଙ୍ଗଳାର ସମସ୍ତ ୯ କୋଟି ଜନତାଙ୍କ ପାଇଁ ସ୍ୱାସ୍ଥ୍ୟ ସାଥୀ କାର୍ଡ ପ୍ରଦାନ କରିଛନ୍ତି। ତେଣୁ ସମସ୍ତ ଓଡ଼ଶାବାସୀଙ୍କୁ ତୁରନ୍ତ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦେବା ପାଇଁ ପରିବର୍ତ୍ତିତ ଗାଇଡଲାଇନ ଜାରି କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ହେଉଛି ପ୍ରତ୍ୟେକ ମନୁଷ୍ୟର ଏକ ମୌଳିକ ଅଧିକାର। ତେଣୁ ରାଜ୍ୟର ୨୬ ଭାଗ ଜନସାଧାରଣଙ୍କୁ ଏହି ଅଧିକାରରୁ ବଂଚିତ କରିବାର ଅଧିକାର ଓଡ଼ିଶା ସରକାରଙ୍କ ନାହିଁ। ଅବଶ୍ୟ ଯେଉଁମାନଙ୍କର ସ୍ୱାସ୍ଥ୍ୟବୀମା ଭଳି ଆନୁସଙ୍ଗିକ ସୁବିଧାସୁଯୋଗ ରହିଛି, ସେମାନେ ସ୍ୱେଚ୍ଛାକୃତ ଭାବେ ସରକାରୀ ପ୍ରେତ୍ସାହନକୁ ପରିତ୍ୟାଗ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *