ପବନଦୀପ ରାଜନ ହେଲେ ଇଣ୍ଡିଆନ ଆଇଡଲ ବିଜେତା; ମିଳିଲା ୨୫ ଲକ୍ଷ ଟଙ୍କା ସାଙ୍ଗକୁ ଏକ କାର୍‌….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଦେଶର ସବୁଠୁ ପପୁଲାର ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲକୁ ମିଳିଛି ନୂଆ ବିଜେତା। ଉତ୍ତରାଖଣ୍ଡର ପବନଦୀପ ରାଜନ ଶେଷରେ ପିନ୍ଧିଲେ ବିଜେତାର ମୁକୁଟ ।   ଏହି ଶୋ’ ଖୁବ୍‌ ପପୁଲାର ହୋଇଥିବା ବେଳେ ଖୁବ୍‌ ଟ୍ରୋଲ୍‌ ବି ହୋଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ଶୋ’ ଧିରେ ଧିରେ ଲୋକଙ୍କ ଭଲ ପାଇବା ସାଉଣ୍ଟିବାରେ ସକ୍ଷମ ହୋଇଥିଲା। ହେଲେ ଅଚାନକ ଏହାର ଜଜ୍‌, ପ୍ରତିଯୋଗୀଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଏପରିକି ସମୟ ଏପରି ଆସିଲା ଶୋ’ର ସୁଟିଂ, ଶିଡ୍ୟୁଲ ଓ ଲୋକେସନ ବଦଳାଇବାକୁ ପଡ଼ିଲା। ନିଜ ସୁମଧୁର ସ୍ୱରର ଯାଦୁରେ ପବନଦୀପ ପ୍ରଥମରୁ ଦର୍ଶକ ଓ ଜଜ୍‌ଙ୍କୁ ଇମ୍ପ୍ରେସ୍‌ କରିପାରିଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ସହ ତାଙ୍କର କଡ଼ା ଟକ୍କର ହୋଇଥିଲା। ଶେଷରେ ଉତ୍ତରାଖଣ୍ଡ ପୁଅ ଏହି ଟ୍ରଫି ହାତେଇବାକୁ ସକ୍ଷମ ହୋଇଥିବା ବେଳେ ଏଥିସହ ତାଙ୍କୁ ଏକ ଲକଜୁରୀ କାର୍‌ ଓ ୨୫ ଲକ୍ଷ ଟଙ୍କା  ମିଳିଛି।

ଦ୍ୱିତୀୟ ସ୍ଥାନରେ ପବନଦୀପଙ୍କୁ କଡ଼ା ଟକ୍କର ଦେଉଥିବା ଅରୁଣିତା କାଞ୍ଜିଲାଲ ରହିଥିବା ବେଳେ ତୃତୀୟ ସ୍ଥାନରେ ସାୟଲି କାମ୍ବଲି । ଏହାବାଦ ଚତୁର୍ଥ ସ୍ଥାନରେ ମୋହମ୍ମଦ ଦାନିଶ ଥିବା ବେଳେ ପଞ୍ଚମରେ ନିହାଲ ଓ ଷଷ୍ଠ ସ୍ଥାନରେ  ସବୁଠୁ କମ୍‌ ଭୋଟ ପାଇ ରହିଲେ ଶନମୁଖପ୍ରିୟା । ଅରୁଣିତା ଶୋ’ ଜିତିବାର ପ୍ରମୁଖ ଦାବିଦାର ଥିଲେ ମଧ୍ୟ ଏଥିରେ ପବନଦୀପଙ୍କ ଜିତାପଟ ହୋଇଥିଲା। ହେଲେ ବିଜେତା ହୋଇପାରି ନ ଥିଲେ ବି ଏହି ଶୋ’ର ପ୍ରତିଯୋଗୀମାନେ ନିଜ ପାଇଁ ଭଲ ଭଲ ଅଫର ସାଉଣ୍ଟିବାରେ ସକ୍ଷମ ହୋଇଛନ୍ତି। ଅରୁଣିତାଙ୍କୁ ଧର୍ମା ପ୍ରଡକ୍ସନରେ ମିଳିଛି ବିଗ୍‌ ବ୍ରେକ୍‌। ଶୋ’କୁ ଗେଷ୍ଟ ହୋଇ ଆସିଥିବା ପ୍ରଖ୍ୟାତ ନିର୍ଦ୍ଦେଶକ କରନ ଜୋହର ଧର୍ମା ପ୍ରଡକ୍ସନ ପାଇଁ ଅରୁଣିତାଙ୍କୁ ସାଇନ୍‌ କରିଥିବା ବେଳେ ହିମେଶ ରେଶମିୟା ମଧ୍ୟ ବହୁ ପ୍ରତିଯୋଗୀଙ୍କୁ ନିଜ ଆଲବମ୍‌ରେ ଗାଇବର ସୁଯୋଗ ଦେଇଛନ୍ତି। ସେହିପରି ଶୋ’କୁ ଗେଷ୍ଟ ହୋଇ ଆସିଥିବା ବାପି ଲହରୀ ପବନଦୀପଙ୍କ ଗୀତରେ ପ୍ରଭାବିତ ହୋଇ ତାଙ୍କୁ ନିଜ ପ୍ରିୟ ତବଲା ଗିଫ୍ଟ କରିଥିଲେ। ଇଣ୍ଡିଆନ ଆଇଡଲ ଇତିହାସରେ ପ୍ରଥମ ଥର ପାଇଁ ଏକ ଏପିସୋଡ଼କୁ ୧୨ ଘଣ୍ଟା ପାଇଁ ଟେଲିକାଷ୍ଟ କରାଯାଇଥିଲା। ଶୋ’ର ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀଙ୍କୁ ସପୋର୍ଟ କରିବା ଲାଗି ଅନୁ ମଲ୍ଲିକ, ସୋନୁ କକ୍କଡ, ହିମେଶ ରେଶମିୟା, ଉଦିତ ନାରାୟଣ, ଅଲକା ୟାଗ୍ନିକ, କୁମାର ସାନୁ, ବିଶାଲ ଦଦଲାନି, ମିକା ସିଂ, ଭାରତୀ ସିଂ. ସିଦ୍ଧାର୍ଥ ମଲହୋତ୍ରା, କିୟାରା ଆଡଭାନୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *