ଓବିସି ସଂଶୋଧନ ବିଲ୍ ପାସ୍, କେହି ବି ବିରୋଧରେ ଭୋଟ ଦେଲେନି ।
ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) :ନିଜସ୍ୱ ଜାତଭିତ୍ତିକ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କ୍ଷମତା ଦେଉଥିବା ଓବିସି ସଂଶୋଧନ ବିଲ୍ ଆଜି ଲୋକସଭାରେ ପାସ୍ ହୋଇଛି। ଏହି ଓବିସି ସଂଶୋଧନ ବିଲ୍ ସପକ୍ଷରେ ଲୋକସଭାରେ ଉପସ୍ଥିତ ଥିବା ସମସ୍ତ ୩୮୫ ସାଂସଦ ଭୋଟ ଦେଇଥିବା ବେଳେ ଜଣେ କେହି ବି ଏହା ବିରୋଧରେ ମତ ଦେଇନାହାନ୍ତି।
ଲୋକସଭାରେ ବିଲ୍ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ସେଠାରେ ଏହା ପାସ ହୋଇଗଲେ ଆଇନରେ ପରିଣତ ହେବ। ରାଜ୍ୟମାନେ ଏହି ଆଇନ ବଳରେ ପ୍ରସ୍ତୁତ କରୁଥିବା ଓବିସି ତାଲିକା କେନ୍ଦ୍ର ଠାରୁ ମଧ୍ୟ ଭିନ୍ନ ହୋଇପାରିବ। ଏହା ଉପରେ କେହି ବି ପ୍ରଶ୍ନ ଉଠାଇ ପାରିବେ ନାହିଁ।
ବିଲ୍ ପାସ୍ ହୋଇଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “୧୨୭ ତମ ସମ୍ବିଧାନ ସଂଶୋଧନ ବିଲକୁ ପାରିତ କରିବାରେ ଲୋକସଭାରେ ସବୁ ସଦସ୍ୟ ସହଯୋଗ କରିଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଏହା ରାଜ୍ୟସଭାରେ ଥରେ ପାସ୍ ହୋଇଗଲେ ଓବିସି ବର୍ଗର ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାରେ ସହାୟକ ହେବ।” ସୁପ୍ରିମକୋର୍ଟ ମେ’ ମାସରେ ମରାଠା ସଂରକ୍ଷଣ ଉପରେ ରାୟ ଦେବା ବେଳେ ଗୋଟିଏ ନିର୍ଦ୍ଦେଶ ଦେଇଥିଲେ। ଓବିସି ତାଲିକା କେବଳ କେନ୍ଦ୍ର ସରକାର ହିଁ ପ୍ରସ୍ତୁତ କରିବେ। ରାଜ୍ୟମାନେ କୌଣସି ଜାତିକୁ ସଂରକ୍ଷଣ ତାଲିକାରେ ସାମିଲ କରିପାରିବେ ନାହିଁ ସଂସଦରେ ଆଇନ ପ୍ରଣୟନ ହୋଇଥିବା ସୁପ୍ରିମକୋର୍ଟ କହିଥିଲେ। ଏହାକୁ ବଦଳାଇବା ପାଇଁ ତଥା ରାଜ୍ୟମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧୨୭ତମ ସମ୍ବିଧାନ ସଂଶୋଧନ ବିଲ ଆଣିଥିଲେ।

