ଏଥର ସମ୍ଭାଳ ବ୍ୟୂରୋ (ନୂଆଦିଲ୍ଲୀ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ବିରୋଧୀ ଦଳର ନେତାମାନଙ୍କୁ ନିଜ ଘରେ ଡିନର ପାର୍ଟି ଦେଇଛନ୍ତି। ତାଙ୍କ ଜନ୍ମ ଦିନ ପାଇଁ ବିରୋଧୀଙ୍କ ମେଳି ହୋଇଥିବା ବେଳେ ଏଥିରୁ ରାଜନୀତିକ ଚର୍ଚ୍ଚା ବାଦ ପଡ଼ିନି। ଡିନର ପାର୍ଟି ନାଁରେ ବିରୋଧୀ ଦଳର ନେତାମାନେ ୨୦୨୪ରେ ମୋଦି ସରକାରଙ୍କ ବିରୋଧରେ ଏକାଠି ହେବାକୁ ଯୋଜନା କରିଛନ୍ତି। ଏହି ପାର୍ଟିରେ ବିଜେଡ଼ିର ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ଯୋଗଦେଇଥିଲେ।
ଏହାବାଦ୍ ଗାନ୍ଧି ପରିବାର ବିରୋଧରେ ମଧ୍ୟ ଏହି ଡିନର ପାର୍ଟିରେ ମସୁଧା ହୋଇଥିବା ଜଣାପଡ଼ିଛି। ଡିନର ପାର୍ଟିରେ କଂଗ୍ରେସର ଉତ୍ଥାନ ବିଷୟରେ ଆଲୋଚନା ହୋଇଥିଲା। ଏହି ସମୟରେ କିଛି ନେତା ଗାନ୍ଧି ପରିବାରର ହୁକୁମାତି ବନ୍ଦ ହେବା ପରେ ହିଁ କଂଗ୍ରେସ ଆଗକୁ ଯାଇ ପାରିବ ବୋଲି ମତ ଦେଇଥିଲେ। ଏହାର ଅର୍ଥ କଂଗ୍ରେସକୁ ଆଗକୁ ନେବା ପାଇଁ ହେଲେ ଏହାକୁ ଗାନ୍ଧି ପରିବାର କବଳରୁ ମୁକ୍ତ କରିବାକୁ ହେବ ବୋଲି ସେମାନେ କହିଥିବା ଜଣାପଡ଼ିଛି।
୨୦୧୪ ସାଧାରଣ ନିର୍ବାଚନ ପରେ କଂଗ୍ରେସ ତଳକୁ ଖସିବାରେ ଲାଗିଛି। ଏଥିପାଇଁ ଦଳର ବରିଷ୍ଠ ନେତାଙ୍କୁ ଦାୟୀ କରି କପିଲ ଶିବଲ କିଛି ମାସ ତଳେ ପ୍ରଥମେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ଦଳ ମଧ୍ୟରେ ମତ ପାର୍ଥକ୍ୟ ସୃଷ୍ଟି ହୋଇଥିଲା।
ଏହାପରେ କଂଗ୍ରେସର ଆଉ ୨୩ ଜଣ ନେତା ନେତୃତ୍ୱ ପରିବର୍ତ୍ତନ ସହ ଆଭ୍ୟନ୍ତରୀଣ ନିର୍ବାଚନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇ ବିଦ୍ରୋହ ଘୋଷଣା କରିଥିଲେ। ଏହି ୨୩ ଜଣ ନେତାଙ୍କ ମଧ୍ୟରୁ ଅଧିକାଂଶ ଶିବଲଙ୍କ ଡିନର ପାର୍ଟିରେ ଯୋଗ ଦେଇଥିଲେ। ଡିନର ପାର୍ଟିକୁ ଯାଇଥିବା ନେତାଙ୍କ ମଧ୍ୟରେ ଶଶି ଥରୁର, ପି ଚିଦାମ୍ବରମ ଓ ଆନନ୍ଦ ଶର୍ମା ପ୍ରମୁଖ ରହିଛନ୍ତି। ଏମାନେ ସମସ୍ତେ କଂଗ୍ରେସର ଭବିଷ୍ୟତକୁ ନେଇ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି।
କଂଗ୍ରେସ ନେତାଙ୍କ ବ୍ୟତୀତ ଏନସିପିର ଶରଦ ପାୱାର, ଟିଏମସି ସାଂସଦ ଡେରେକ ଓବ୍ରାଏନ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଡିଏମକେର ଟିରୁଚି ଶିବା, ଆରଏଲଡିର ଜୟନ୍ତ ଚୌଧୁରୀ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ, ଶିବସେନା ସାଂସଦ ସଞ୍ଜୟ ରାଉତ ଓ ଏନସିର ଓମାର ଅବଦୁଲ୍ଲା ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ସମସ୍ତେ ୨୦୨୪ ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ କଂଗ୍ରେସର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ବୈଠକରେ ଗାନ୍ଧି ପରିବାରର କୌଣସି ସଦସ୍ୟ କିମ୍ବା ବିଶ୍ୱସ୍ତ ଲୋକ ଯୋଗଦେଇ ନଥିଲେ।
ପ୍ରଥମଥର ପାଇଁ ବିରୋଧୀଙ୍କ ଏହି ଡିନର ପାର୍ଟିରେ ବିଜେଡିର ପିନାକୀ ମିଶ୍ର ଓ ଅକାଳୀ ଦଳର ନରେଶ ଗୁଜରାଲ ମଧ୍ୟ ଉପସ୍ଥିତ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶାର କ୍ଷମତାସୀନ ବିଜେଡି ସବୁବେଳେ ପ୍ରସଙ୍ଗ ଭିତ୍ତିରେ ବିଜେପି ଓ କଂଗ୍ରେସକୁ ସମର୍ଥନ କରିଥାଏ। ହେଲେ ହଠାତ୍ ଶିବଲଙ୍କ ଡିନର ପାର୍ଟିରେ ବିଜେଡି ସାଂସଦ ପିନାକୀ ମିଶ୍ର ଯୋଗଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହି ଡିନର ପାର୍ଟିରେ ଶିବଲ କେନ୍ଦ୍ର ସରକାର କେଉଁଭଳି ଭାବେ ସବୁ ସାମ୍ବିଧାନିକ ସଂସ୍ଥାକୁ ଅପବ୍ୟହାର କରୁଛନ୍ତି, ସେକଥା ଉଠାଇଥିଲେ। ବିଜେପିର ମୁକାବିଲା କରିବାକୁ ହେଲେ ସବୁ ବିରୋଧୀ ଦଳର ନେତାଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଓମାର ଅବଦୁଲ୍ଲା ବଡ଼ ବୟାନ ଦେବା ସହ କଂଗ୍ରେସକୁ କେମିତି ମଜଭୂତ କରାଯିବ, ତା’ର ଉପାୟ ଚିନ୍ତା କରିବାକୁ ପଡ଼ିବ ବୋଲି କହିଛନ୍ତି।
ସେ କହିଛନ୍ତି, “କଂଗ୍ରେସ ଯେତେବେଳେ ସଶକ୍ତ ହେବ ସେତେବେବେଳେ ବିରୋଧୀ ଦଳଗୁଡ଼ିକ ଆପେଆପେ ମଜଭୂତ ହୋଇପାରିବେ। ତେଣୁ କଂଗ୍ରେସକୁ କେମିତି ଆଗକୁ ନେବାକୁ ପଡ଼ିବ, ତା’ର ଉପାୟ ଚିନ୍ତା କରିବାକୁ ପଡ଼ିବ।” ଏହି ସମୟରେ ନରେଶ ଗୁଜରାଲ କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଗାନ୍ଧି ପରିବାର କବଳରୁ କଂଗ୍ରେସ ମୁକୁଳି ନାହିଁ, ସେ ପର୍ଯ୍ୟନ୍ତ ଦଳ କେବେ ହେଲେ ସଶକ୍ତ ହୋଇପାରିବ ନାହିଁ।
ନିକଟରେ ଜେଲରୁ ମୁକଳିଥିବା ଲାଲୁ ଯାଦବ ମଧ୍ୟ ୨୦୨୪ରେ ବିଜେପି ସହ ଲଢ଼ିବାକୁ ହେଲେ ସବୁ ରାଜନୀତିକ ଦଳକୁ ଏକାଠି ହେବାକୁ ପଡ଼ିବ ବୋଲି କହିଛନ୍ତି। ପି ଚିଦାମ୍ବରମ ରାଜ୍ୟଗୁଡ଼ିକରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ପ୍ରଥମେ ବିଜେପି ବିରୋଧରେ ଏକାଠି ହେବା ସପକ୍ଷରେ ମତ ରଖିଛନ୍ତି।
ବୈଠକରେ ଉପସ୍ଥିତ ଥିବା ନେତାମାନେ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଅଖିଲେଶ ଯାଦବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।