ଏଥର ସମ୍ଭାଳ ବ୍ୟୂରୋ (ନୂଆଦିଲ୍ଲୀ): ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ହେଉଥିବା ନେତାଙ୍କ ଅପରାଧ ସମ୍ପର୍କିତ ରେକର୍ଡ ସାର୍ବଜନୀନ ନ କରିବା ରାଜନୀତିକ ଦଳଗୁଡ଼ିକୁ ମହଙ୍ଗା ପଡ଼ିଛି। କୋର୍ଟ ବାରମ୍ବାର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ବିଜେପି ଓ କଂଗ୍ରେସ ସମେତ ୯ଟି ଦଳ ଏହାକୁ ସାର୍ବଜନୀନ କରିନାହାନ୍ତି। ଏଥିପାଇଁ ୯ଟି ଦଳକୁ ଅଦାଲତ ଅବମାନନା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।
ତେବେ ୮ଟି ଦଳକୁ କୋର୍ଟ ମୋଟା ଅଙ୍କର ଫାଇନ କରିଛନ୍ତି। ମାମଲାର ଶୁଣାଣି ବେଳେ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ରାଜନୀତିକ ଦଳଗୁଡ଼ିକ ଗଭୀର ନିଦ୍ରାରୁ ଉଠିବାକୁ ଆଦୌ ଚାହୁଁ ନଥିବା କହିଛନ୍ତି।
ଗତବର୍ଷ ବିହାର ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ସାର୍ବଜନୀନ କରି ନଥିବାରୁ କଂଗ୍ରେସ, ବିଜେପି ଓ ଅନ୍ୟ ୪ଟି ଦଳକୁ କୋର୍ଟ ୧ ଲକ୍ଷ ଟଙ୍କା ଲେଖାଏ ଫାଇନ ଦେବାକୁ କହିଛନ୍ତି। ଏମାନଙ୍କ ମଧ୍ୟରେ ଆରଜେଡି, ଜନତା ଦଳ ୟୁନାଇଟେଡ(ଜେଡିୟୁ), ଲୋକ ଜନଶକ୍ତି ପାର୍ଟି ଓ ସିପିଆଇ ରହିଛନ୍ତି।
ସେହିପରି ଏନସିପି ଓ ସିପିଏମକୁ ୫ ଲକ୍ଷ ଟଙ୍କା ଲେଖାଏ ଫାଇନ କରାଯାଇଛି। ଏମାନଙ୍କୁ ୪ ସପ୍ତାହ ମଧ୍ୟରେ ଜୋରିମାନା ଦାଖଲ କରିବାକୁ କୁହାଯାଇଛି। ବହୁଜନ ସମାଜ ପାର୍ଟି ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ସୁପ୍ରିମକୋର୍ଟ କେବଳ ଏହି ଦଳକୁ ଚେତାବନୀ ଦେଇ ଛାଡ଼ି ଦେଇଛନ୍ତି।
ଏହାବାଦ୍ ରାଜନୀତି ଓ ନିର୍ବାଚନକୁ ଅପରାଧ ମୁକ୍ତ କରିବା ପାଇଁ କୋର୍ଟ ପ୍ରାର୍ଥୀ ଚୟନ ହେବାର ୪୮ ଘଣ୍ଟା ମଧ୍ୟରେ ଦଳଗୁଡ଼ିକ ସେମାନଙ୍କ ନାଁରେ ଥିବା ଅପରାଧିକ ରେକର୍ଡକୁ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ଏକାଧିକ ନିର୍ଦ୍ଦେଶ ସତ୍ତ୍ୱେ ରାଜନୀତିକ ଦଳଗୁଡ଼ିକ ଗଭୀର ନିଦ୍ରାରୁ ଉଠିକାବୁ ଆଦୌ ଚାହୁଁନାହାନ୍ତି। ରାଜନୀତିକ ଆଇନ ପ୍ରଣୟନକାରୀମାନେ ଶୀଘ୍ର ନିଦରୁ ଉଠନ୍ତୁ।
ରାଜନୀତିକୁ ଅପରାଧିକରଣ କରି ଏହାର ଛବିକୁ ଯେଉଁ ଭଳି ଭାବେ ମଳିନ କରାଯାଉଛି, ତା’ ବିରୋଧରେ ଉପଯୁକ୍ତ ସର୍ଜରୀ କରନ୍ତୁ। ସୁପ୍ରିମକୋର୍ଟଙ୍କ ନିବେଦନ ଶୁଣି ପାରୁ ନଥିବା ଲୋକଙ୍କ କାନରେ ପଡ଼ିବା ଭଳି ମନେ ହେଉଥିବା ଜଷ୍ଟିସ ଆରଏଫ ନରିମନ ଓ ଜଷ୍ଟିସ ବିଆର ଗାଭିଙ୍କ ଖଣ୍ଡପୀଠ କହିଛନ୍ତି।
ଖଣ୍ଡପୀଠ କହିଛନ୍ତି, ରାଜନୀତିକ ଦଳଗୁଡ଼ିକ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ସେମାନଙ୍କର ୱେବସାଇଟର ହୋମପେଜ୍ରେ ଉଲ୍ଲେଖ କରିବେ। ହୋମପେଜ୍ରେ ଏକ “ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ” ଶୀର୍ଷକ ସ୍ଲଟ କରାଯାଇ ସେମାନଙ୍କ ନାଁ ରଖାଯିବ।
ନିର୍ବାଚନ କମିଶନ ଗୋଟିଏ ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍ ସୃଷ୍ଟି କରିବେ। ଏଥିରେ ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ ରେକର୍ଡ ବିଷୟରେ ସୂଚନା ଉଲ୍ଲେଖ କରିବେ।
ସୋଶାଲ ମିଡିଆ, ୱେବସାଇଟ୍, ଟିଭି ବିଜ୍ଞାପନ, ପ୍ରାଇମ ଟାଇମ୍ ବିତର୍କ, ପାମ୍ପଲେଟ୍ ଜରିଆରେ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ବିଷୟରେ ତଥ୍ୟ ପ୍ରଦାନ କରାଯିବ। ରାଜନୀତିକ ଦଳଗୁଡ଼ିକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି କି ନାହିଁ ତା’ ଉପରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ଗୋଟିଏ ସ୍ୱତନ୍ତ୍ର ସେଲ୍ ଗଠନ କରିବେ।
ରାଜନୀତିକ ଦଳଗୁଡ଼ିକ ନିୟମ ଉଲ୍ଲଙ୍ଘନ କଲେ, ଏ ବିଷୟରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ସାର୍ବଜନୀନ କରୁ ନଥିବା ଦଳଙ୍କ ନିର୍ବାଚନୀ ଚିହ୍ନକୁ ନିଲମ୍ବନ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।