!!! ବରଗଡ଼ ଜିଲ୍ଲା ପଦ୍ମପୁର ରୁ ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ରାଜ୍ୟ ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଲୋକମାନେ ସଚେତନତା ଅଭାବରୁ ଅନେକ ଜନହିତକାରି ଯୋଜନାର ଲାଭ ଉଠେଇ ପାରୁନାହାଁନ୍ତି । ଏହିଭଳି ଲୋକଙ୍କ ପାଇଁ ଆଶାର ଆଲୁଅ ପାଲଟିଛନ୍ତି ପାଇକମାଲ ବ୍ଲକ ଉପାନ୍ତ ଅଞ୍ଚଳ ଟେମରି ଗ୍ରାମର ମହିଳା ସ୍ୱେଚ୍ଛାସେବୀ ତଥା ସାମାଜିକ କର୍ମୀ ଦୀପା ବାରିକ ତେଣୁ ତାଙ୍କୁ “ଅନ୍ଧାରୀ ମୂଲକର ଆଲୋକ” ବୋଲି ସମସ୍ତେ କହିଥାନ୍ତି। ଏହିକ୍ରମରେ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋଗୀନ୍ଦ୍ରନାଥପୁର ଗ୍ରାମର ଏକ ଅସହାୟ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଏକ ଶିଶୁକନ୍ୟା ନିକିତା ଗୁଣ୍ଡି ଜନ୍ମଠାରୁ ଦିବ୍ୟାଙ୍ଗ ଭଳି ମୁଣ୍ଡ ଉଠେଇ ପାରୁନାହାନ୍ତି ଏବଂ ଉଠି ବସି ନପାରି ଅଣ୍ଟା ସଳଖ ମଧ୍ୟ କରିପାରନ୍ତି ନାହିଁ। ୨୦୧୯ ମସିହାରେ ଜନ୍ମିତ ଏହି ଶିଶୁର ମାଆ ତେଲେଙ୍ଗାନା ରାଜ୍ୟକୁ ଇଟା ଗଢିବା ପାଇଁ ଯାଇଥିଲେ। ଅତ୍ୟନ୍ତ ଗରୀବ ପରିବାରର ହେଇଥିବାରୁ ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକେ ସର୍ବସ୍ୱାନ୍ତ ହୋଇଯାଇଛନ୍ତିି। ନିଜ ସ୍ୱାମୀ ଦ୍ୱାରା ପ୍ରତାରିତ ହୋଇ ଏହି ଶିଶୁଟିର ମାଆ ବର୍ତ୍ତମାନ ନିଜ ମାଆ ବାପାଙ୍କ ପାଖରେ ରହି କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି।

ଏହି ପରିବାର ର ଅସହାୟ ଅବସ୍ଥା ସମ୍ପର୍କରେ ଜାଣିବା ପରେ ଗତବର୍ଷ ମାର୍ଚ୍ଚ ମାସରେ ଦୀପା ବାରିକ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଏକ ପତ୍ର ମାଧ୍ୟମରେ ଜଣା କରିଥିଲେ। ଯାହା ପ୍ରଭାବରେ ଉକ୍ତ ଶିଶୁଟିର ସହାୟତା କରିବା ପାଇଁ ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇଥିଲେ ଏବଂ ଉଚ୍ଚତର ଚିକିତ୍ସା ନିମନ୍ତେ ଶିଶୁଟିକୁ କଟକ ନିଆଯାଇଥିଲା। ଏହାଛଡ଼ା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ଶିଶୁଟିକୁ ନିୟମିତ ବ୍ୟବଧାନରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ବରଗଡ଼ ଡିଇଆଇସିକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କରୋନା ମହାମାରୀ ଯୋଗୁଁ ଶିଶୁଟିକୁ ଥରେ ନେବାପରେ ଆଉ ଡାକ୍ତରଖାନା ନିଆଯାଇନାହିଁ। ଏହି ବିଷୟରେ ନିକିତାଙ୍କ ଆଇ ଦ୍ରୌପଦୀ ଗୁଣ୍ଡି ଦୀପା ବାରିକଙ୍କୁ ଜଣେଇବା ପରେ ଦୀପା ଉକ୍ତ ପରିବାର ପାଖକୁ ଯାଇ ଭେଟିଥିଲେ ଏବଂ ସମସ୍ୟା ଗୁଡିକୁ ବୁଝିଥିଲେ। ପାଇକମାଲ ଡାକ୍ତରଖାନାର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂଯୋଜକ କୁ ଯୋଗାଯୋଗ କରି ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏହା ସହିତ ଦ୍ରୌପଦୀ ଗୁଣ୍ଡିଙ୍କ ସାନ ଝିଅ ପାଠ ପଢ଼ିପାରୁ ନଥିବାରୁ ତାଙ୍କୁ ନିର୍ମାଣ ଶ୍ରମିକ ଛାତ୍ରବୃତ୍ତି ଯୋଜନାରେ ସହାୟତା ଯୋଗେଇଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୀପାଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ସାଧୁବାଦ ଜ୍ଞାପନ କରିବା ସହ ଉକ୍ତ ଅସହାୟ ପରିବାର ପାଖେ ପ୍ରଶାସନ ପହଞ୍ଚି ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସଚେତନ ନାଗରିକବୃନ୍ଦ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here