ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ସାଂସଦ ଦୋଷୀ ସାବ୍ୟସ୍ତ, ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଏକ ବିରଳ ଘଟଣାକ୍ରମରେ ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଜଣେ ସାଂସଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ନାଁ ମଲୋଥ କବିତା। ୨୦୧୯ରେ ତେଲେଙ୍ଗାନାର ମେହବୁବାବାଦ ଆସନରୁ ସେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ନମପାଲୀରେ ସାଂସଦ ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ଥିବା ଏକ ସ୍ୱତନ୍ତ୍ର କୋର୍ଟ ସାଂସଦ ମଲୋଥ କବିତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ମଲୋଥ କବିତା ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ଥିଲେ। ଏହି ମାମଲାର ପ୍ରଥମ ଅଭିଯୁକ୍ତ ଥିଲେ ଦଳୀୟ କର୍ମୀ ତଥା କବିତାଙ୍କ ସହଯୋଗୀ ସୌକତ ଅଲି। ସେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ବି ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଯାଇଥିବା ବେଳେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ତେବେ ଉଭୟ ସାଂସଦ ମଲୋଥ କବିତା ଓ ତାଙ୍କ ସହଯୋଗୀ ସୌକତ ଅଲୀଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ସେମାନେ ତଳ କୋର୍ଟର ଏହି ରାୟ ବିରୋଧରେ ଉଚ୍ଚ କୋର୍ଟରେ ଆବେଦନ କରିପାରିବେ। ୨୦୧୯ରେ ସାଧାରଣ ନିର୍ବାଚନ ବେଳେ ଇଲେକ୍ସନ ଡ୍ୟୁଟିରେ ଥିବା ଫ୍ଲାଇଂ ସ୍କ୍ୱାଡ୍‌ ହାତରେ ସୌକତ ଅଲି ଧରା ପଡ଼ିଥିଲେ। ସେ ଭୋଟରଙ୍କୁ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁ ଥିବା ବେଳେ ଧରା ପଡ଼ିଥିଲେ। କବିତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଲୋକଙ୍କୁ କହି ସେ ଟଙ୍କା ବାଣ୍ଟୁଥିଲେ। କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ସୌକତ ଅଲୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ। ସାଂସଦ ମଲୋଥ କବିତା ତାଙ୍କୁ ଟଙ୍କା ଦେଇଥିବା ସେ କହିଥିଲେ।

Leave a Reply

Your email address will not be published. Required fields are marked *