ଜାତିଭିତ୍ତିକ ଜନଗଣନାକୁ କେନ୍ଦ୍ରର ନା, ଓଡ଼ିଶା ଓ ମହାରାଷ୍ଟ୍ର କରିଥିଲେ ଅନୁରୋଧ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଦେଶରେ ଅଛନ୍ତି, ତା’ର ଗଣତି କରାଯିବ ନାହିଁ। କେବଳ ଜନଗଣନା ବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଗଣତି କରାଯିବ। ଏହା ବ୍ୟତୀତ ଆଉ କୌଣସି ଜାତି ଆଧାରରେ କେତେ ଲୋକ ଅଛନ୍ତି, ତା’କୁ ଜନଗଣନାରେ ସାମିଲ କରାଯିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜାତିଭିତ୍ତିକ ଜନଗଣନା କରିବା ପାଇଁ ଓଡ଼ିଶା ଓ ମହାରାଷ୍ଟ୍ର ସରକାର ଦାବି କରିଥିଲେ। ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ କୁହାଯାଇଛି ଯେ “ଓଡ଼ିଶା ଓ ମହାରାଷ୍ଟ୍ର ସରକାର ଆସନ୍ତା ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଦେଶରେ ରହୁଛନ୍ତି, ତା’ର ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ କହିଥିଲେ। କିନ୍ତୁ ଭାରତ ସରକାର ଏସ୍‌ସି ଓ ଏସ୍‌ଟିକୁ ଛାଡ଼ି ଅନ୍ୟ କୌଣସି ଜାତିଭିତ୍ତିକ ଜନଗଣନା କରାଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।” ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ କେନ୍ଦ୍ର ସରକାର ୨୦୧୧ ଜନଗଣନା ବେଳେ ସଂଗ୍ରହ ହୋଇଥିବା ଜାତିଭିତ୍ତିକ ତଥ୍ୟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ସଂସଦକୁ ଅବଗତ କରାଇଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାକୁ କହିଥିଲେ ଯେ ସୋସିଓ-ଇକୋନୋମିକ ଓ ଜାତିଭିତ୍ତିକ ଜନସଂଖ୍ୟାର ଗଣନା ୨୦୧୧ରେ କରାଯାଇଥିଲା। ଗ୍ରାମୀଣ ଓ ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ସଂଗୃହୀତ ତଥ୍ୟକୁ ହସ୍ତାନ୍ତର ହୋଇଥିଲା। ତେବେ ଏହାକୁ ବର୍ତ୍ତମାନ ଷ୍ଟେଜରେ ସାର୍ବଜନୀନ କରିବାର କୌଣସି ଯୋଜନା ନାହିଁ।

Leave a Reply

Your email address will not be published. Required fields are marked *