ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କରୋନା ସଂକ୍ରମଣ ଜନୀତ ସ୍ଥିତିକୁ ଅନୁଧ୍ୟାନ କରି ମାନ୍ୟବର ଅଦାଲତ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା କ୍ରମେ ରାୟଗଡା ଜିଲ୍ଲା ରେ ରଥଯାତ୍ରା ବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଗୁଣପୁର ଠାରେ ବିନା ଭକ୍ତରେ ରଥଯାତ୍ରା ପାଳନ କରିବାକୁ ନିର୍ଦ୍ଦେଶ ଜାରି କରି ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଫଳରେ ଏହି ସ୍ଥାନକୁ ଖବର ସଂଗ୍ରହ କରିବା ନିମନ୍ତେ ସାମ୍ବାଦିକଙ୍କୁ ଛଡାଯାଇନି । ଗୁଣପୁର ବଡ଼ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କିଛି ସଦସ୍ୟଙ୍କ କଥାରେ ଭୋଳ ହୋଇ ଉପଜିଲ୍ଲାପାଳ ମନ୍ଦିର ଠାରେ ପ୍ରସାଦ ବଣ୍ଟନ ଓ ବିକ୍ରୟକୁ ଅନୁମତି ଦେଇଛନ୍ତି ।

ଏଥି ପାଇଁ ଉପଜିଲ୍ଲାପାଳ ସାଧାରଣରେ ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛନ୍ତି । ପ୍ରଶାସନ ଟିକିଏ ସୁବିଧା ଦେବାରୁ ଏମାନଙ୍କ ଭୋଗ ବିକ୍ରୟ ରେ ହେବାକୁ ଥିବା ଭକ୍ତ ସମାଗମ ଦେଖି ପୁଣି ଏହା କରୋନା ସଂକ୍ରମଣର ରାସ୍ତା କୁ ମୁକୁଳା କରିବ ବୋଲି ହୋଇଥିବା ଅଭିଯୋଗ କୁ ପଛରେ ପକାଇ ମନ୍ଦିର ଠାରେ ଭୋଗ ବିକ୍ରୟ କରୁଛନ୍ତି । ଏହି ସୁଯୋଗ ନେଇ ମନ୍ଦିର ପୂଜକ ମାନେ ଏଠାରେ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଛନ୍ତି । ହେରାପଞ୍ଚମୀ ଦିନ ଗୁଣପୁର ଠାରେ ଶ୍ରୀ ଜୀଉଙ୍କ ପ୍ରସାଦ କିଣିବା ପାଇଁ ନାହିଁ ନଥିବା ଭିଡ଼ ଦେଖା ଯାଇଥାଏ । ଏହି କଥା ଦେବୋତ୍ତର ବିଭାଗ ଅଧିକାରୀ ଓ ଉପଜିଲ୍ଲାପାଳ ଅବଗତ ଥାଇ ମଧ୍ୟ ଏଭଳି ନିର୍ଦ୍ଦେଶ ଦେଇ ପରୋକ୍ଷ ଭାବେ ସେମାନେ କରିଥିବା ୧୪୪ ଧାରାକୁ ଭଙ୍ଗ କରୁଥିବା ସାଧାରଣରେ କୁହାଯାଇଛି । ସହରର ଅନ୍ୟ ମନ୍ଦିର ବନ୍ଦ ଫାଟକ ସାମ୍ନା ରେ ଭକ୍ତ ଙ୍କ ଭିଡ଼ ଦେଖି ପୂଜକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏଠାରେ କିନ୍ତୁ ସବୁ ନିରବ । ଏହାକୁ ଦେଖି ଲୋକେ କହିଲେଣି ପ୍ରଶାସନ ହାତୀ ଛାଡି ଦେଇ ପିମ୍ପୁଡ଼ି ଧରୁଛି। ହେରା ପଞ୍ଚମୀ ଦିନ ଦର୍ଶନ ଏବଂ ଭୋଗ କ୍ରୟ ନିମନ୍ତେ ହୋଇଥିବା ଭିଡର ଫୋଟ ଉଠାଇ କିଛି ବ୍ୟକ୍ତି ଉପଜିଲ୍ଲାପାଳ ଙ୍କ ନିକଟକୁ ପଠାଇ ଏହାର ବିରୋଧ କରିବାରୁ ମନ୍ଦିର ନିକଟରେ ସ୍ଥିତି ଅନୁଧ୍ୟାନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ପହଞ୍ଚି ଥିଲେ ।

ଏହାଙ୍କ ପଛେ ପଛେ ତହସିଲଦାର ତଥା ଦେବୋତ୍ତର ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ନାୟକ , ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ ଏବଂ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଜସବନ୍ତ ହିଆଲ୍ ପହଞ୍ଚି ଥିଲେ । ନିଜେ ଉପଜିଲ୍ଲାପାଳ ମହୋଦୟ ଜନସମାଗମକୁ ଦେଖି ବିରକ୍ତ ଭାବ ପ୍ରକାଶ କରି ଯଥା ଶୀଘ୍ର ଭୋଗ ବିକ୍ରୟକୁ ବନ୍ଦ କରିବା ସହ ଏଠାରେ ଖୋଲା ଯାଇଥିବା କେନ୍ଦ୍ରକୁ ହଟାଇବା ନିମନ୍ତେ କଡା ନିର୍ଦ୍ଦେଶ ଦେଇ ଭୋଗ ବିକ୍ରି ନା ରେ ଭିଡ ଜମାଇ ଥିବା ସେବାୟତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କହିଥିଲେ । ଆଗକୁ ସଂକ୍ରମଣ ଜନିତ ତୃତୀୟ ଲହରୀ ଆସୁଥିବା ଆଶଙ୍କା କରି ଜନ ସାଧାରଣ ଙ୍କୁ ସଚେତନ କରିବା ଏବଂ ୧୪୪ ଧାରା ଜାରି ଅଞ୍ଚଳ ରେ ଜନ ଗହଳି ହେଲେ ଅମାନିଆ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ ବାଜି ମାଧ୍ୟମରେ ଅବଗତ କରାଇବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଗତ କାଲି ନିଷିଦ୍ଧାଞ୍ଚଳ ମଧ୍ୟକୁ ମାଳ ମାଳ ହୋଇ ଭକ୍ତ ଆସି ୧୪୪ ଧାରା କୁ ଖିଲାପ କରି ଦର୍ଶନ କରୁଥିଲେ ହେଁ ସେଠାରେ ମୁତୟନ ଥିବା ସୁରକ୍ଷା ବିଭାଗ କର୍ମଚାରୀ ଏହାକୁ ଆକଟ ନ କରି ନୀରବ ଦ୍ରଷ୍ଟା ସାଜିଥିବା ଯୋଗୁଁ ପୋଲିସ ବିଭାଗ ପ୍ରତି ଜନ ସାଧାରଣ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଦେଖିବାକୁ ରହିଲା ଉପଜିଲ୍ଲାପାଳ ଏହି ନିର୍ଦ୍ଦେଶ କିଭଳି ପାଳନ କରାଯାଉଛି।

LEAVE A REPLY

Please enter your comment!
Please enter your name here