ଜିଲ୍ଲାପାଳମାନଙ୍କୁ ତାଗିଦ୍: ମାନଦଣ୍ଡ ଆଧାରରେ କଲେଜ ସଭାପତିଙ୍କ ନାଁ ପଠାଅ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟର କଲେଜଗୁଡ଼ିକର ପରିଚାଳନା କମିଟିରୁ ବିଧାୟକ ଓ ରାଜନେତାମାନଙ୍କୁ ବାଦ୍ ଦେଇ ଶୈକ୍ଷିକ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ରାଜନୀତିକ ପ୍ରଭାବରୁ ତାହା କାର୍ଯ୍ୟକାରୀ ହୋଇପାରୁନି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ପୂରଣ କରୁନଥିବା ବ୍ୟକ୍ତିମାନଙ୍କୁ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଭାବେ ଜିଲ୍ଲାପାଳମାନେ ମନୋନୀତ କରୁଥିବାକୁ ନେଇ ଉଚ୍ଚଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ପୋଷଣ କରିଛି। ଅନୁଦାନପ୍ରାପ୍ତ କଲେଜର ପରିଚାଳନା କମିଟିର ସଭାପତିଙ୍କ ନାଁ ସୁପାରିଶବେଳେ ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବା ୩ଜଣ ବ୍ୟକ୍ତିଙ୍କ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ଦେବାକୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ କହିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କୁହାଯାଇଛି ଯେ, ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତିଙ୍କୁ ମନୋନୀତ କରିବା ନିମନ୍ତେ ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବର ୧ରେ ଓଡ଼ିଶା ଶିକ୍ଷା ଆଇନରେ ଆବଶ୍ୟକ ସଂଶୋଧନ ଆଣିଥିଲେ। ଏହି ଆଇନର ରୁଲ-୨୫ ଅନୁସାରେ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟି ସଭାପତି ଭାବେ ରାଜ୍ୟ ସରକାର ନିଜ ଆଡ଼ୁ କୌଣସି ଜଣକୁ ମନୋନୀତ କରିବେ ଅବାପୁଣି ଜିଲ୍ଲାପାଳମାନେ ୩ଜଣ ବ୍ୟକ୍ତିଙ୍କ ନାଁ ସୁପାରିଶ କରି ପଠାଇବେ। ତେବେ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଭାବେ ମନୋନୀତ ହେବାକୁ ଥିବା ବ୍ୟକ୍ତି ନିଶ୍ଚିତ ଭାବେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ହୋଇଥିବେ, ତାଙ୍କର ବୟସ ୪୫ରୁ ୬୭ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ସେ ବିଶିଷ୍ଟ ଏକାଡେମିସିଆନ୍ , ଶିକ୍ଷାବିତ୍‌, ଅବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅଧିକାରୀ ହୋଇଥିବା ଜରୁରୀ। ଏହି ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ନାଁ କଲେଜ ପରିଚାଳନା କମିଟି ସଭାପତି ଭାବେ ସରକାରଙ୍କୁ ସୁପାରିଶ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପୂର୍ବରୁ କହିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଜିଲ୍ଲାପାଳମାନେ ଏହି ମାନଦଣ୍ଡକୁ ପାଳନ କରୁନଥିବା ବିଭାଗର ନଜରକୁ ଆସିଛି। ଯାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏକ ନିର୍ଦ୍ଧିଷ୍ଟ ଫର୍ମାଟ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ଓ ସେଥିରେ ଥିବା ସମସ୍ତ ତଥ୍ୟକୁ ପୂରଣ କରି ଅତି କମରେ ୩ଜଣଙ୍କ ନାଁ ସଭାପତି ପଦ ପାଇଁ ସରକାରଙ୍କୁ ସୁପାରିଶ କରିବାକୁ କୁହାଯାଇଛି।ସରକାରଙ୍କ ଦ୍ୱାରା ସଭାପତି ମନୋନୀତ ହେବାପରେ ପରିଚାଳନା କମିଟିର ଅନ୍ୟ ସଦସ୍ୟ ମନୋନୀତ ପ୍ରକ୍ରିୟା ସମ୍ପୃକ୍ତ କଲେଜର ପରିଚାଳନା କମିଟି ସଭାପତି ଓ କଲେଜ ପ୍ରିନ୍ସିପାଲ(ପରିଚାଳନା କମିଟି ସମ୍ପାଦକ) ଦ୍ୱାରା କରାଯିବ। ସେମାନେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ଆଚଂଳିକ ନିର୍ଦ୍ଦେଶକଙ୍କୁ ମଧ୍ୟ ଅବଗତ କରାଇବେ।  ସୂଚନାଯୋଗ୍ୟ, ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକ ସମେତ ବିଭିନ୍ନ ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଭାବେ ସ୍ଥାନୀୟ ବିଧାୟକ ଅବା ତାଙ୍କର ଦୃଢ଼ ସମର୍ଥକମାନେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଗତବର୍ଷଠୁ ଏହି ନିୟମକୁ ସଂଶୋଧନ କରି ପରିଚାଳନା କମିଟି ସଭାପତି ପଦକୁ ରାଜନୀତିକ ବ୍ୟକ୍ତିବିଶେଷଙ୍କଠୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *