Site icon Ethara Sambhala

ଆଜି ଓଡ଼ିଶା ବନ୍ଦ, ରାସ୍ତାକୁ ଓହ୍ଲାଇଲେ ବାମ ଦଳ ; ଗୁଣପୁର ରେ ବାମ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି । ସିପିଆଇଏମଏଲ ଲିବରେସନ ଓ ଅଖିଳ ଭାରତ କିଷାନ ମଜଦୁର ସଂଘ ପକ୍ଷରୁ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୁଣୁପୁର ଠାରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ଗୁଣପୁର ଠାରେ ଗାଡ଼ି ମଟର ଏବଂ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଦଳ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା ।

ଏହାକୁ ଗୁଣପୁର ବାସୀ ସମର୍ଥନ କରି ସମସ୍ତ ଦୋକାନ ବଜାର ଓ ଗାଡ଼ି ମଟର ବନ୍ଦ କରିଥିବା ଦେଖିବାକୁ ମିଳିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଉଛି ବୋଲିି ଦଳର ମୁଖ୍ୟ କମ୍ରେଡ଼ ଶ୍ରୀ ତ୍ରିପତି ଗମାଙ୍ଗ ସୂଚନା ଦେଇଛନ୍ତି । ଆଜି ସକାଳୁ ସକାଳୁ ଗୁଣପୁର ର ରାୟଗଡା – ଗୁଣପୁର ଓ ପଦ୍ମପୁର – ଗୁଣପୁର କୁ ସଂଯୋଗ କରୁଥିବା ରାସ୍ତା ର ଏସପିଗୁଡ଼ା ଛକ ଏବଂ ପାରଳାଖେମୁଣ୍ଡି-ଗୁଣପୁର କୁ ସଂଯୋଗ କରୁଥିବା ରାସ୍ତାର ମରାଠିଗୁଡ଼ା ଠାରେ ଦଳପକ୍ଷରୁ ଅବରୋଧ କରାଯାଇ ଆନ୍ଦୋଳନ କରାଯାଇଥିଲା ।

ବନ୍ଦ ସମୟରେ ଦୋକାନ ବଜାର, ଗାଡ଼ି ଚଳାଚଳ, ରେଳ ଚଳାଚଳ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଆଦି ପ୍ରଭାବିତ ହେବାକୁ ଥିବାରୁ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନଙ୍କୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ଏକ ପତ୍ର ମାଧ୍ୟମରେ ଅବଗତ କରିଥିବା ଜଣାପଡିଛି । ଏହି ବନ୍ଦ ପାଳନ ବେଳେ କୌଣସି ଅଘଟଣ ଘଟିନାହିଁ ଏବଂ ବନ୍ଦ ଡାକରା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଗମାଙ୍ଗ ଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଯୋଗଦେଇଥିଲେ।

Exit mobile version