ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ଉତ୍ତର ପ୍ରଦେଶ ଓ ଆସାମରେ ନୂଆ ଆଇନ ଆଣିବାକୁ ଯୋଜନା କରୁଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ପ୍ରଥମଥର ପାଇଁ କଂଗ୍ରେସରୁ ଏହି ଯୋଜନାକୁ ସମର୍ଥନ ମିଳିଛି। ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ମନ୍ତ୍ରୀ ହୋଇଥିବା ରଘୁ ଶର୍ମା ଏହି ଯୋଜନାକୁ ସମର୍ଥନ କରିଛନ୍ତି। ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ବର୍ତ୍ତମାନ ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଚିନ୍ତା କରିବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି, “ବର୍ଦ୍ଧିତ ଜନସଂଖ୍ୟା ଗୋଟିଏ ସମସ୍ୟା। ଦେଶକୁ ଏହା ଉପରେ ଚିନ୍ତା କରିବାର ସମୟ ଆସିଛି। ଏହାଦ୍ୱାରା ଭବିଷ୍ୟତ ପିଢ଼ି ଗୋଟିଏ ଉତ୍ତମ ଜୀବନ ଧାରଣ କରିପାରିବେ। ଏବେକା ସମୟରେ ଆମକୁ ଆମେ ଦୁଇ ଆମର ଏକ ନୀତିକୁ ପାଳନ କରିବାକୁ ହେବ। ଏକଥା ପୂର୍ବରୁ ମଧ୍ୟ ମୁଁ ଅନେକ ପ୍ଲାଟଫର୍ମରେ କହିଛି।” ତେବେ ମନ୍ତ୍ରୀ ରଘୁ ଏପରି ବୟାନ ଦେଇଥିବା ବେଳେ ରାଜସ୍ଥାନ ସରକାର ଓ କଂଗ୍ରେସ ନିଜକୁ ଏଥିରୁ ଦୂରେଇ ରଖିଛନ୍ତି। ରଘୁଙ୍କ ବୟାନ ବ୍ୟକ୍ତିଗତ ଓ ଏହା ରାଜସ୍ଥାନ ସରକାରଙ୍କ ମତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମନ୍ତ୍ରୀ ରଘୁ ରାଜସ୍ଥାନର ସ୍ଥିତିକୁ ଦେଖି ଏପରି କହିଛନ୍ତି। ରାଜସ୍ଥାନରେ ଦୀର୍ଘ ଦୁଇ ଦଶନ୍ଧି ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ରହିଛି। ୧୯୯୫ରେ ବିଜେପି ନେତୃତ୍ୱାଧୀନ ଭାଇରୋନ ସିଂହ ଶେଖାୱତ ସରକାର ଏହି ଆଇନ ପ୍ରଣୟନ କରିଥିଲେ। ନିୟମ ଅନୁସାରେ, ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବନି। ଦୁଇରୁ ଅଧିକ ସନ୍ତାନ ଥିଲେ ରାଜସ୍ଥାନ ସରକାରରେ କାମ କରୁଥିବା ଅଧିକାରୀଙ୍କ ପଦୋନ୍ନତି ମଧ୍ୟ ବନ୍ଦ କରାଯାଉଛି।

LEAVE A REPLY

Please enter your comment!
Please enter your name here