ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ଭୋଟିଂ ବେଳେ ବ୍ୟବହୃତ ହୋଇଥିବା ଇଭିଏମ, ବାଲେଟ ପେପର ଓ ଏହାର ସହ ଜଡ଼ିତ ସମସ୍ତ ଦସ୍ତାବିଜ ଏବଂ ଭିଡିଓ ରେକର୍ଡିଂକୁ ସଂରକ୍ଷିତ କରି ରଖିବାକୁ ଆଜି କ୍ୟାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତ। ଏଥିସହ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ କୋର୍ଟ ନୋଟିସ କରିଛନ୍ତି। ଏହି ଆସନରେ ହାଇ ଭୋଲଟେଜ ଲଢ଼େଇ ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ବିଜେପିର ଶୁଭେନ୍ଦୁ ଅଧିକାରୀ ଏଠାରେ ଜିତିଛନ୍ତି। କିନ୍ତୁ ଏହା ବିରୋଧରେ ମମତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ଏହାର ଶୁଣାଣି କରି ନିର୍ବାଚନ ସହ ଜଡ଼ିତ ସମସ୍ତ କାବଜପତ୍ରକୁ ସୁରକ୍ଷିତ ଭାବେ ରଖିବାକୁ କହିଛନ୍ତି। ଶୁଭେନ୍ଦୁଙ୍କ ଠାରୁ ଆଗରେ ଥିବା ମମତା ହଠାତ୍ ୧୯୫୬ ଖଣ୍ଡ ଭୋଟରେ ହାରି ଯିବାକୁ ପୁଣି ଗଣତି ପାଇଁ ଦାବି କରିଥିଲେ। ହେଲେ ଏହାକୁ ନିର୍ବାଚନ କମିଶନ ଅଗ୍ରାହ୍ୟ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କ୍ୟାଲକାଟା ହାଇକୋର୍ଟର ବିଚାରପତି ଏସ୍ ସରକାର ଅନଲାଇନରେ ଏହାର ଶୁଣାଣି କରି ନିର୍ବାଚନ କମିଶନ ଓ ରିଟର୍ଣ୍ଣିଂ ଅଫିସରଙ୍କୁ ନୋଟିସ ହେବ ବୋଲି କହିଛନ୍ତି। ସେହିପରି କୋର୍ଟ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟ ନୋଟିସ କରିଛନ୍ତି। ଏଥିସହ ନିର୍ବାଚନ ସହ ଜଡ଼ିତ ସମସ୍ତ କାଗଜପତ୍ରକୁ ସଂରକ୍ଷିତ କରି ସୁରକ୍ଷିତ ରଖିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନରେ ହେଉଥିବା ଶୁଣାଣିରେ ଉପସ୍ଥିତ ରହି ମମତା ବାନାର୍ଜୀ କହିଛନ୍ତି, ବୁଥ ଦଖଲ, ଲାଞ୍ଚ, ବିଦ୍ୱେଶ ଓ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରି ଶୁଭେନ୍ଦୁ ଅଧିକାରୀ ଭୋଟ ହାସଲ କରିଛନ୍ତି। ସେହିପରି ଭୋଟ ଗଣତି ବେଳେ ଉପଯୁକ୍ତ ନିୟମର ପାଳନ କରାଯାଇ ନାହିଁ। ଭୋଟ ଗଣତିରେ ବ୍ୟାପକ ଅନିୟମିତତା ହୋଇଛି। ତେଣୁ ଏହି ନିର୍ବାଚନକୁ ଅବୈଧ ଘୋଷଣା କରାଯାଉ ବୋଲି ସେ ନିଜ ପିଟିସନରେ କହିଛନ୍ତି। ଏବେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ରେ ହେବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମମତାଙ୍କ ଏହି ଆବେଦନର ଶୁଣାଣି ଜଷ୍ଟିସ କୌଶିକ ଚନ୍ଦ୍ରାଙ୍କ ଖଣ୍ଡପୀଠରେ ହେବାର ଥିଲା। କିନ୍ତୁ ଜଷ୍ଟିସ କୌଶିକଙ୍କ ଲିଙ୍କ ବିଜେପି ସହ ରହିଛି ବୋଲି ମମତା ଅଭିଯୋଗ କରିଥିଲେ। ଏଥିପାଇଁ ସେ ନିଜ ଆଡ଼ୁ ଶୁଣାଣିରୁ ଓହରି ଯାଇଥିଲେ। ହେଲେ ଯିବା ପୂର୍ବରୁ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଥିଲେ। ଜଷ୍ଟିସ କୌଶିକ ଶୁଣାଣିରୁ ଓହରି ଯିବାରୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲଙ୍କ ନିର୍ଦ୍ଦେଶକ୍ରମେ ଜଷ୍ଟିସ ଏସ୍ ସରକାର ମାମଲାର ଶୁଣାଣି କରିଛନ୍ତି।
Home Breaking news ନନ୍ଦିଗ୍ରାମ ନିର୍ବାଚନର ଇଭିଏମ ଓ ସମସ୍ତ ଦସ୍ତାବିଜ ସଂରକ୍ଷିତ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ….!