ରାହୁଲଙ୍କୁ ଟକ୍କର ଦେବା ପାଇଁ ଚାଷୀ ସମାବେଶ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟକ୍କର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ରାହୁଲ ଗାନ୍ଧୀ ଓଡ଼ିଶା ଆସୁଥିବା ବେଳେ, ପୁରୀର ମାଳତୀପାଟପୁରରେ ଏକ ବଡ଼ଧରଣର ଚାଷୀ ସମାବେଶ ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଆଜି ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଏଥିରେ ଏକ ଲକ୍ଷରୁ ଅଧିକ ଚାଷୀ ଯୋଗଦେବେ ବୋଲି ବିଜେଡି ପକ୍ଷରୁ କୁହାଯାଉଛି ।

ତେବେ ରାହୁଳଙ୍କ ଆଗମନ ଓ ସେଠାରେ ଜନ ସମାଗମକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ଏଭଳି ଯୋଜନା କରିଛନ୍ତି କଂଗ୍ରେସ ପକ୍ଷରୁ କୁହାଯାଇଛି । ଅଧିକାଂଶ ଗାଡି ମଟର ଓ ବସକୁ ବୁକିଂ କରି ରଖାଯାଇଛି । ଆରଟିଓମାନେ ସରକାରଙ୍କ ଏଜେଣ୍ଟ ଭଳି କାର୍ଯ୍ୟ କରି ଗାଡି ଠିକ୍ କରିଛନ୍ତି। କିପରି କଂଗ୍ରେସବାଲା ଗାଡି ପାଇଁ ଅସୁବିଧାର ସମ୍ମୁଖୀନ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ସରକାର କଂଗ୍ରେସର ଏହି ଅଭିଯୋଗକୁ ଫାଙ୍କୁଥିବାବେଳେ ଗତକାଲି ନବରଙ୍ଗପୁର ଓ କୋରାପୁଟରେ ବସ୍ ମାଲିକଙ୍କ ଧର୍ମଘଟରୁ ସରକାରଙ୍କ ମୁଖା ଖୋଲି ଯାଇଛି ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। ଅନ୍ୟପକ୍ଷରେ ବହୁତ ଲୋକ ଆସିବେ ଏବଂ ରାହୁଳଙ୍କ ସଭା ସଫଳ ହେବ ଓ କଂଗ୍ରେସ ଅଧିକ ସୁଦୃଢ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ପୂର୍ବରୁ ଜାନୁଆରୀ ୫ରେ ମୋଦୀଙ୍କ ବାରିପଦା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପୁରୀରେ ମିଶନ ଶକ୍ତି ମହିଳା ସମାବେଶ କରିଥିଲେ । ସେହିପରି ଜାନୁଆରୀ ୧୫ରେ ବଲାଙ୍ଗୀର ଗସ୍ତକୁ ଟକ୍କର ଦେବା ପାଇଁ ଭୁବନେଶ୍ବରରେ ‘କୃଷି ଓଡ଼ିଶା-୨୦୧୯’ ଆୟୋଜନ କରିଥିଲେ। ଏବେ ରାହୁଳଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ଚାଷୀ ସମାବେଶର ଯୋଜନା କରାଯାଇଛି ବୋଲି କୁହାଯାଉଛି। ବିଭିନ୍ନ ରାଜନୈତିକ ମହଲରେ ଏନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି।

ସୂଚନା ଯୋଗ୍ୟ ଆଜି ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ। ଏହି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଯୋଜନାର ନାମ ‘କାଳିଆ’ ହୋଇଥିବାରୁ ସେହିଦିନ ପୁରୀର ମାଳତୀପାଟପୁରରେ ଏକ ବଡ଼ଧରଣର ଚାଷୀ ସମାବେଶ କରି ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରାଯିବାକୁ ସ୍ଥିର ହୋଇଛି। ଏଥିରେ ଏକ ଲକ୍ଷରୁ ଅଧିକ ଚାଷୀ ଯୋଗଦେବେ। ଆସନ୍ତାକାଲି ସୁଦ୍ଧା ୧୨ଲକ୍ଷ ୪୫ ହଜାର ଚାଷୀଙ୍କ ବ୍ୟାଙ୍କ ଖତାକୁ ଅର୍ଥ ‌ଯିବ।

Leave a Reply

Your email address will not be published. Required fields are marked *