ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ପୁରୀ)- ଆଜି ଥିଲା ବିଶ୍ୱ ନିୟନ୍ତାଙ୍କ ଘୋଷଯାତ୍ରା। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ଧରି କାଳିଆ ସାଆନ୍ତ ଜନ୍ମବେଦୀକୁ ଯାଇଛନ୍ତି। ହେଲେ ଗତବର୍ଷ ପରି ଏଥର ମଧ୍ୟ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇପାରିଲେ ନାହିଁ ଭକ୍ତ। ସେବାୟତମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଲେ। ସୂର୍ଯ୍ୟାସ୍ତ ପୂର୍ବରୁ ଶରଧା ବାଲିରେ ଅଟକିଛି ତିନି ରଥ। କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର। ପୂର୍ବ ନିର୍ଦ୍ଧାରିତ ଢେରେ ଆଗରୁ ରଥ ପ୍ରତିଷ୍ଠା ହୋଇଥିଲା। ପରେ ଘଣ୍ଟ ଘଣ୍ଟା କାହାଳୀରେ କମ୍ପି ଉଠିଥିଲା ଶ୍ରୀମନ୍ଦିର। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା’ ସୁଭଦ୍ରା ଆଉ ଶେଷରେ ଟାହିଆ ହଲାଇ ନନ୍ଦିଘୋଷକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ତା’ପରେ ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା ସହ ବନ୍ଦାପନା କରିଥିଲେ ଗଜପତି। ଚାରମାଳ ଫିଟାଯାଇ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ସେବାୟତ। ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍ଘର ନାଦରେ କେବଳ ସେବାୟତଙ୍କ ଗହଳିରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ। ସୂର୍ଯ୍ୟ ନଇଁବା ଆଗରୁ ଶରଧାବାଲିରେ ଗୋଟି ଗୋଟି ହୋଇ ତିନି ରଥ ଲାଗୁଥିଲା। ଆଉ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ସେବାୟତ ଗାଇଲେ ଗୀତ ଗୋବିନ୍ଦ। ଆଜି ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର।