ତୈଳଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ପଦଯାତ୍ରା ଓ ବିକ୍ଷୋଭ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପେଟ୍ରୋଲିୟମଜାତ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ଓଡ଼ିଶା ପ୍ରଭାରୀ(ଛାତ୍ର ସଂଗଠନ) ଅନୁଲେଖା ବୋଷ ଏଥିରେ ସାମିଲ ହୋଇଥିଲେ। ବର୍ଦ୍ଧିତ ତୈଳ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟପଦାର୍ଥର ଦରବୃଦ୍ଧି ପ୍ରତିବାଦରେ ଆଜି ଅପରାହ୍ନରେ ବିମାନବନ୍ଦର ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପଦଯାତ୍ରା ହୋଇଥିଲା। କ୍ୟାପିଟାଲ ହସ୍ପିଟାଲ ଛକରେ ଛାତ୍ର କଂଗ୍ରେସ ନେତୃବୃନ୍ଦ ପୁଲିସ୍ ବ୍ୟାରିକେଡ଼ ଭାଙ୍ଗି ରାସ୍ତାରେ ବସି ବିକ୍ଷୋଭ କରିଥିଲେ । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ, ମୋଦିଙ୍କ ‘ଆଚ୍ଛାଦିନ’ ଓ ନବୀନଙ୍କ ‘ବିଜୁବାବୁଙ୍କ ସ୍ୱପ୍ନ’ର ବାସ୍ତବ ରୂପ ଏବେ ଦେଶ ଓ ରାଜ୍ୟବାସୀ ଦେଖୁଛନ୍ତି। ହାଣ୍ଡିଶାଳରେ ମହଙ୍ଗା ମାଡ଼। ପେଟ୍ରୋଲ,ଡ଼ିଜେଲ, ରନ୍ଧନ ଗ୍ୟାସର ଦରରେ ହିଟଲର ଶାସନର ପ୍ରତିଫଳନ ହୋଇଛି। ମୋଦି ଓ ନବୀନ ସାଧାରଣ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି । ମୋଦି ଓ ନବୀନଙ୍କ ଅମଳରେ ଓଡ଼ିଶାବାସୀଙ୍କ ଅବସ୍ଥା ରସାତଳଗାମୀ ହୋଇଛି। ଏହାସହିତ ସେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଟୀକାକରଣ ପାଇଁ ଦାବି କରିଛନ୍ତି। ସେହିପରି ଛାତ୍ର କଂଗ୍ରେସ ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା କହିଛନ୍ତି ଯେ ମୋଦି ଓ ନବୀନଙ୍କ ଶାସନରେ ଓଡ଼ିଶାର ଜନସାଧାରଣ ଅତିଷ୍ଠ। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସର ଦର ବୃଦ୍ଧି ବିରୁଦ୍ଧରେ ନବୀନ ବାବୁ ମୁହଁ ଖୋଲୁନାହାନ୍ତି। ତେଲ ଦର ଲିଟର ପିଛା ୪୦ ଟଙ୍କା ହେବା ଉଚିତ୍ ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ନିଜେ ଗଣମାଧ୍ୟମକୁ କହିଛନ୍ତି । କଂଗ୍ରେସ ଅମଳରେ ତେଲ ଦର ଟଙ୍କାଟିଏ ବଢିଲେ ବିଜେଡ଼ି ରାଜରାସ୍ତାରେ ଚିତ୍କାର କରେ, ଆଜି ଚୁପ୍ କାହିଁକି? ବିଜୁ ଛାତ୍ର ଜନତା ଗରିବ ଜନସାଧାରଣଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ ବି କରିପାରୁନି। କରୋନା ସମୟରେ ଲୋକ ବେରୋଜଗାର ହେଉଥିବା ବେଳେ ନବୀନ-ମୋଦି ସରକାର ଦରଦାମ୍ ବୃଦ୍ଧି କରି ଲୋକଙ୍କୁ ଲୁଟୁଛନ୍ତି। ଛାତ୍ର କଂଗ୍ରେସ ଏହା ବିରୁଦ୍ଧରେ ଧାରାବାହିକ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେୂ ଛାତ୍ର କଂଗ୍ରେସର ଜାତୀୟ ସଂଯୋଜକ ଆଦିତ୍ୟ ଚୌଧୁରୀ, ନିହାର ବେହେରା, ସୁନିଲ ମାଟିଆ, ପ୍ରୀତମ ପରିଜା, ନିରଞ୍ଜନ ଦାସ, ସାଗର ପଟ୍ଟନାୟକ, ବାବୁ ଜେନା, ଅବିନାଶ ନନ୍ଦ, କାର୍ତ୍ତିକ କାଣ୍ଡି, ଅଭିରାମ ଗୌଡ଼,ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଅଖିଳେଶ ଯାଦବ, ଦେବବ୍ରତ ମହାନ୍ତି, ନିତେଶ ବେହେରା, ବାଦଲ ମହାନ୍ତି, ଅଜିତ ବାରିକ, ସୂର୍ଯ୍ୟକାନ୍ତ ସାହୁ, ଶାହାରୁଖ ଖାନ, ରଣଜିତ ସେନାପତି, ପ୍ରତ୍ୟୁରଞ୍ଜନ ପ୍ରଧାନ, ଶିବଶକ୍ତି ଦିଗାଲ, ସମିଉଲ ହକ୍ ଓ ସନ୍ଦିପ ରାଉତରାୟ ପ୍ରମୁଖ ବହୁ ଛାତ୍ରନେତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *