ନେତୃତ୍ୱ ସଙ୍କଟ ଦୂର କରିବା ପାଇଁ କଂଗ୍ରେସ କରିବ ଏହି ପ୍ଲାନ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶରେ ଦୁର୍ବଳ ବିରୋଧୀ କଂଗ୍ରେସ ଶାସକ ଦଳ ବିଜେପିକୁ ଅଧିକ ମଜବୁତ ହେବାକୁ ସୁଯୋଗ ଦେଇଛି। ଦେଶରେ ମୋଦିରାଜ ଆସିବା ପରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଅନ୍ୟପଟେ ଦଳରେ ଥିବା ନେତା ନେତା ମଧ୍ୟରେ କନ୍ଦଳ କଂଗ୍ରେସକୁ କଟା ଘା’ରେ ଚୂନ ସଦୃଶ ହୋଇଛି। ମୋଟାମୋଟି ଭାବରେ ସର୍ବପୁରାତନ ପାର୍ଟିରେ ଏବେ ଚାରିଆଡେ ଛିଦ୍ର। ଏବେ ଛିଦ୍ର ବୁଜି ଆଗକୁ ବଢ଼ିବାକୁ ହେଲେ ଦଳର ଅନେକ ନେତା ଆମୂଳଚୁଳ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ଦଳର ଅନ୍ୟତମ ଶୀର୍ଷ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଦିନ ଟ୍ୱିଟ୍ କରି ଶାସକ ଦଳକୁ କାଉଣ୍ଟର କରୁଛନ୍ତି ହେଲେ ଦଳର ଅଧ୍ୟକ୍ଷ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସରେ ଦେଖାଦେଇଛି ନେତୃତ୍ୱ ସଙ୍କଟ। ଏବେ ଏହାର ସମାଧାନ ପାଇଁ କଂଗ୍ରେସ ବର୍ଷେ ହେବ ବିଚାର ବିମର୍ଶ ଚଳେଇଛି। ଏବେ କୋଭିଡ ପାଇଁ ଅଧ୍ୟକ୍ଷ ନିର୍ବାଚନ ଉପରେ ସ୍ଥଗିତାଦେଶ ଲଗାଯିବା ପରେ ଏହି ବିଚାର ବିମର୍ଶ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି। ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ ଦଳର ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଯେଉଁ ପ୍ରସ୍ତାବ ଉପରେ ବିଚାର ଚାଲିଛି ଆଗାମୀ ଦିନରେ ହେବାକୁ ଥିବା ଏଆଇସିସି ଅଦଳ ବଦଳ ପରେ ଜଣାପଡ଼ିବ। ଏବେ କିନ୍ତୁ ଚର୍ଚ୍ଚା ହେଉଛି ଦଳରେ ଉପାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହେବା ଦରକାର କି? ଏହାର ଅର୍ଥ ବିନା ପୂର୍ଣ୍ଣକାଳୀନ ଅଧ୍ୟକ୍ଷରେ ଜଣେ ନେତାଙ୍କୁ ଦଳ ପ୍ରଭାରୀ ଭାବରେ ନିଯୁକ୍ତ କରିବ। ଯେମିତି ବିଭିନ୍ନ ରାଜ୍ୟରେ କଂଗ୍ରେସ ସଭାପତି ସହିତ ଉପସଭାପତି ନହେଲେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛି। ଉଦାହରଣ ଓଡ଼ିଶା। ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସର ସଭାପତି ହୋଇଥିବା ବେଳେ ଭକ୍ତ ଚରଣ ଦାସ ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ରହିଛନ୍ତି। କିନ୍ତୁ ଫରକ ଏତିକି ଓଡ଼ିଶାରେ ସଭାପତି ରହିଛନ୍ତି ହେଲେ କେନ୍ଦ୍ର କଂଗ୍ରେସରେ ପୂର୍ଣ୍ଣ ସଭାପତି ବଦଳରେ କାର୍ଯ୍ୟକାରୀ ଅଧ୍ୟକ୍ଷ ନହେଲେ ଉପାଧ୍ୟକ୍ଷ ଉପରେ ବିଚାର କରୁଛି କଂଗ୍ରେସ। ତେଣୁ ଏବେ ଏହି ପଦବୀ ପାଇଁ ୟୁପିର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କୁ ନେଇ ଦଳର କ୍ଷମତା ଗୋଷ୍ଠୀଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଥିବା ସୂଚନା ରହିଛି। ଯଦି ପ୍ରିୟଙ୍କା ହେଲେ ତା’ହେଲା ତାଙ୍କର ପ୍ରଥମ ପରୀକ୍ଷା ୨୦୨୨ ୟୁପି ବିଧାନସଭା ନିର୍ବାଚନ ହେବ।

Leave a Reply

Your email address will not be published. Required fields are marked *