କାଉଣ୍ଟି କ୍ରିକେଟରେ ନୂଆ କାରନାମା କଲେ ଅଶ୍ୱିନ୍…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଟିମ୍ ଇଣ୍ଡିଆର ଭେଟେରାନ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ କାଉଣ୍ଟି ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଅଶ୍ୱିନ୍ ପ୍ରଥମ ସ୍ପିନର୍ ଭାବେ ୧୧ ବର୍ଷ ପରେ କୌଣସି କାଉଣ୍ଟି ଚାମ୍ପିୟନଶିପ୍ ମ୍ୟାଚର ପ୍ରଥମ ଓଭର ବୋଲିଂ କରିଛନ୍ତି। ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅଶ୍ୱିନ୍ କାଉଣ୍ଟି ଚାମ୍ପିୟନଶିପରେ ସରେ ପକ୍ଷରୁ ଖେଳୁଛନ୍ତି। କାଉଣ୍ଟି ଚାମ୍ପିୟନଶିପରେ ଗ୍ରୁପ୍-୨ରେ ଆଜି ସମରସେଟ୍ ଓ ସରେ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ସମରେଟ୍ କ୍ୟାପଟେନ୍ ଜେମ୍ସ ହିଲଡ୍ରେଥ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କାଇଲ୍ ଜେମିସନଙ୍କ ସ୍ଥାନରେ ଖେଳୁଥିବା ଅଶ୍ୱିନ୍ ସରେ ପକ୍ଷରୁ ବୋଲିଂ ଓପନ୍ କରିବାକୁ ଆସିଥିଲେ। ସେ ଆରମ୍ଭରୁ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ ହେଁ ତାଙ୍କୁ ସଫଳତା ମିଳିନଥିଲା। ସମରସେଟ୍ ଇନିଂସର ୪୦ତମ ଓଭରରେ ଅଶ୍ୱିନଙ୍କୁ ୱିକେଟ୍ ମିଳିଥିଲା। ସମରସେଟର ବ୍ୟାଟ୍ସମ୍ୟାନ୍ ଟମ୍ ଲାମୋନବୟଙ୍କୁ ଅଶ୍ୱିନ୍ କ୍ଲିନ୍ ବୋଲ୍ଡ କରି ଚଳିତ ସିଜନରେ ନିଜର ପ୍ରଥମ ସଫଳତା ହାସଲ କରିଥିଲେ। ଅତୀତରେ ଅଶ୍ୱିନ୍ ନଟ୍ଟିଂହାମଶାୟର୍ନ ଓ ୱର୍ସେଷ୍ଟରଶାୟର୍ ପକ୍ଷରୁ କାଉଣ୍ଟି ଚାମ୍ପିୟନଶିପ୍ ଖେଳିସାରିଛନ୍ତି। ଚଳିତ ସଂସ୍କରଣରେ ହାସିମ୍ ଆମଲାଙ୍କ ସହ ଦ୍ୱିତୀୟ ବିଦେଶୀ ଖେଳାଳି ଭାବେ ସରେ ପକ୍ଷରୁ ଫାଇନାଲ୍ ଗ୍ରୁପ୍-୨ ମ୍ୟାଚ୍ ଖେଳୁଛନ୍ତି। ଆସନ୍ତାମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ଆରମ୍ଭ ହେବ। ଇଂଲଣ୍ଡ ମାଟିରେ ଅଶ୍ୱିନ୍ ଭାରତ ପାଇଁ ମୁଖ୍ୟ ଅସ୍ତ୍ର ହୋଇପାରନ୍ତି। ଗତ ମାସରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଅଶ୍ୱିନ୍ ପ୍ରଭାବୀ ପ୍ରଦର୍ଶନ କରିଥିଲେ। କିନ୍ତୁ ଭାରତ ଫାଇନାଲରେ ପରାସ୍ତ ହୋଇଥିଲା। ଚଳିତ ସପ୍ତାହରେ ମଧ୍ୟ ଅଶ୍ୱିନ୍ ୱିମ୍ବଲଡନ୍ ଦେଖିବାକୁ ଯାଇଥିଲେ। କିନ୍ତୁ ଏବେ ସେ କ୍ରିକେଟ୍ ଉପରେ ପୂରା ଫୋକସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *