ସମିତି ସଭ୍ୟରେ ହାରିଥିଲେ, ଆଜି କେନ୍ଦ୍ରମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସେନାରୁ ଅବସର ପରେ ସରପଞ୍ଚ ହୋଇଥିଲେ ବାପା। ଆଉ ବାପାଙ୍କ ପଦାଙ୍କ ଅନୁସରଣ କରି ପୁଅ ବିଶ୍ୱେଶ୍ୱର ଟୁଡୁ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମାତ୍ର ହାରି ଯାଇଥିଲେ। ଦୁଇ ଦୁଇ ଥର ହାରିଥିବା ବିଶ୍ୱେଶ୍ୱରଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ମିଳିଥିଲା ପ୍ରଥମ ବିଜୟ। ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି ଇଞ୍ଜିନିୟର ବିଶ୍ୱେଶ୍ୱର ଟୁଡୁ। ୧୯୬୫ ମସିହାରେ ମାର୍ଚ୍ଚ ୨୮ ତାରିଖରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲାକ୍‌ ସାନମୁଣ୍ଡାବଣୀ ପଞ୍ଚାୟତ ଖୁଣ୍ଟାପାଳ ଗାଁରେ ଜନ୍ମ ଗ୍ରହଣ କରିଥିଲେ ବିଶ୍ୱେଶ୍ୱର ଟୁଡୁ। ତାଙ୍କ ବାପା ଶୁକୁଲ ଟୁଡୁ ଭାରତୀୟ ସେନାରେ ଯବାନ ଥିଲେ। ଚାକିରିରୁ ଅବସର ପରେ ଗାଁକୁ ଫେରି ଆସିଥିଲେ ତାଙ୍କ ବାପା ଶୁକୁଲ ଟୁଡୁ। ପଞ୍ଚାୟତରେ ସେ ସରପଞ୍ଚ ହୋଇଥିଲେ। ପିଲା ବେଳେ ବିଶ୍ୱେଶ୍ୱର ଦେଖିଥିଲେ ରାଜନୀତିରେ ବାପାଙ୍କ ଗୋଟି ଚାଳନା। ରାଜନୀତିର ପାଠ ସେ ପ୍ରଥମେ ତାଙ୍କ ବାପାଙ୍କଠାରୁ ଶିଖିଥିଲେ। ବିଶ୍ୱେଶ୍ୱର ପିଲା ଦିନରୁ ମେଧାବୀ ଥିଲେ। ଗାଁ ପାଖ ଖୁଣ୍ଟାପାଳ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ୧୯୮୧ ମସିହାରେ ପାରେଶ୍ଵର ବିଦ୍ୟାପୀଠରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍‌ କରିଥିଲେ। ପରେ ରାଉରକେଲା ସ୍ଥିତ ସରକାରୀ ପଲିଟେକନିକରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପାସ କରିଥିଲେ। ଇଞ୍ଜିନିୟରିଂ ପାସ୍‌ କରିବା ପରେ ବିଶ୍ୱେଶର ରେଙ୍ଗାଲି ଡ୍ୟାମ୍‌ରେ ଜୁନିଅର ଇଞ୍ଜିନିୟର ଭାବେ ଚାକିରି କରିଥିଲେ। ପରେ ବାଲିମେଳା ଡ୍ୟାମ୍‌ରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି କରିଥିଲେ। ଛାତ୍ର ଜୀବନରୁ ସେ ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇଥିଲେ। ୩ ଦଶନ୍ଧି ଧରି ବନବାସୀ କଲ୍ୟାଣ ଆଶ୍ରମ ସହ ଜଡ଼ିତ ରହିଛନ୍ତି। ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ସହ ତାଙ୍କର ଭଲ ସଂପର୍କ ଥିବା ଆଲୋଚନା ହେଉଛି। ବିଶ୍ୱେଶ୍ୱରଙ୍କ ବାପା ସରପଞ୍ଚ ଥିବାରୁ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ। ୨୦୧୨ ମସିହାରେ ନିଜ ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମାତ୍ର ନିର୍ବାଚନରେ ସେ ହାରି ଯାଇଥିଲେ। ପରେ ଜିଲ୍ଲା ପରିଷଦ ଆସନ ନିର୍ବାଚନରେ ଲଢ଼ି ପରାଜିତ ହୋଇଥିଲେ। ତେବେ ୨୦୧୯ ମସିହାରେ ସାଧାରଣ ନିର୍ବାଚନରେ ସେ ମୟୂରଭଞ୍ଜ ଲୋକସଭା ଆସନରୁ ଲଢ଼ିଥିଲେ। ଆଉ ମୟୂରଭଞ୍ଜବାସୀ ତାଙ୍କ ଉପରେ ଆଶୀର୍ବାଦ ଅଜାଡ଼ି ପକାଇଥିଲେ। ବହୁ ଭୋଟ୍‌ରେ ବିଜୟୀ ହୋଇଥିଲେ। ସାଂସଦ ହେବା ପରେ ବିଶ୍ୱେଶ୍ୱର ନିଜ ଅଞ୍ଚଳ ଓ ସମ୍ପ୍ରଦାର ବହୁ ଦାବି ସଂସଦରେ ଉପସ୍ଥାପନ କରିଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ, ରାଜ୍ୟ ବିଜେପି ଏସ୍‌ଟି ମୋର୍ଚ୍ଚାର ସଭାପତି, ମଧ୍ୟପ୍ରଦେଶର ସହ ପ୍ରଭାରୀ ସହ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାଛଡ଼ା ପଶ୍ଚିମବଙ୍ଗର ନିର୍ବାଚନରେ ଷ୍ଟାର୍‌ ପ୍ରଚାରକ ଭାବେ ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ମେଧାବୀ ବିଶେଶ୍ୱରଙ୍କ ବିବାହ ବୈଦିକ ରୀନିନୀତିରେ ହୋଇଥିଲେ। ସେ ସୁମିତ୍ରାଙ୍କୁ ବିବାହ କରିଥିଲେ। ତାଙ୍କୁ ଦୁଇ ଝିଅ ଓ ଜଣେ ପୁଅ। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟରିଂ ପଢୁଥିବା ବେଳେ ଅନ୍ୟ ଜଣେ ନର୍ସିଂ ପଢ଼ୁଛନ୍ତି। ପୁଅ ଯୁକ୍ତ ଦୁଇ ଛାତ୍ରରେ ପଢ଼ୁଛନ୍ତି। ବୁଧବାର ହୋଇଥିବା କ୍ୟାବିନେଟ୍‌ ସମ୍ପ୍ରସାରଣରେ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରଣାଳୟ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଆନନ୍ଦର ଲହରୀ ଖେଳି ଯାଇଛି। ସମର୍ଥକମାନେ ମିଠା ବାଣ୍ଟି ଆନନ୍ଦ ବନାଉଛନ୍ତି।

Leave a Reply

Your email address will not be published. Required fields are marked *