ଲଣ୍ଡନ : ବିଜ୍ଞାନ ଆକାଶର ମହାନ ତାରକା ଷ୍ଟିଫେନ୍ ହକିଂ ଆଉ ନାହାନ୍ତି। ଏହି ପ୍ରଖ୍ୟାତ ବ୍ରିଟିଶ ପଦାର୍ଥ ବିଜ୍ଞାନୀଙ୍କର ଆଜି ୭୬ ବର୍ଷ ବୟସରେ ବ୍ରିଟିଶ ୟୁନିଭର୍ସିଟି କେମ୍ବ୍ରିଜ୍ ପରିସରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ଆଧୁନିକ ବ୍ରହ୍ମାଣ୍ଡ ବିଜ୍ଞାନର ସର୍ବାଧିକ ଚର୍ଚ୍ଚିତ ବୈଜ୍ଞାନିକ ଷ୍ଟିଫେନ୍ ନିଜେ ମୃତ୍ୟୁର କଳାବାଦଲ ତଳେ ରହି ମଧ୍ୟ ନିଜର ଗବେଷଣା କାର୍ଯ୍ୟ ବଜାୟ ରଖି ଅନେକ ରହସ୍ୟର ଉନ୍ମୋଚନ କରିବାରେ ସକ୍ଷମ ହୋଇଥିଲେ। ଶାରୀରିକ ଅକ୍ଷମତା ସତ୍ତ୍ୱେ ନିଜ ସାଧନାରେ ଅବିଚଳିତ ରହି ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥିବା ଷ୍ଟିଫେନ୍ ଘରେ ଘରେ ପରିଚିତ।
ମାତ୍ର ୨୨ ବର୍ଷ ବୟସରେ ୧୯୬୪ ମସିହାରେ ଏକ ବିରଳ ରୋଗ ମୋଟର୍ ନ୍ୟୁରୋନ୍ରେ ପୀଡ଼ିତ ହୋଇ ଷ୍ଟିଫେନ୍ ସମ୍ପୂର୍ଣ୍ଣ ପକ୍ଷାଘାତର ଶିକାର ହୋଇଥିଲେ ଏବଂ ସର୍ବଦା ହ୍ଵିଲଚେୟାର ଉପରେ ନିର୍ଭରଶୀଳ ଥିଲେ। ବିଶ୍ୱର ଅନ୍ୟତମ ବେଷ୍ଟସେଲ୍ର ପୁସ୍ତକ ‘ ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍’ର ଲେଖକ ଷ୍ଟିଫେନ୍ ବ୍ରହ୍ମାଣ୍ଡକୁ ବୁଝିବା ଓ ବୁଝାଇବାରେ ତାଙ୍କର ଜୀବନର ପ୍ରତ୍ୟେକଟି କ୍ଷଣକୁ ବିନିଯୋଗ କରୁଥିଲେ। ନୋବେଲ ପୁରସ୍କାରରୁ ବଞ୍ଚିତ ହୋଇଥିଲେ ମଧ୍ୟ ଗୁରୁତ୍ୱାକର୍ଷଣ, ବ୍ରହ୍ମାଣ୍ଡ ବିଜ୍ଞାନ, କ୍ୱାଣ୍ଟମ ଥିଓରି, ସୂଚନା ସିଦ୍ଧାନ୍ତ ଏବଂ ଥର୍ମାଡାୟନାମିକ୍ସକୁ ଏକ ସଙ୍ଗରେ ଗବେଷଣା କରି ସେ ଅପାର ସଫଳତା ହାସଲ କରିଥିଲେ। ବ୍ଲାକ୍ହୋଲ୍ ବା କୃଷ୍ଣଗର୍ତ୍ତକୁ ନେଇ ଚାଲିଥିବା ଗବେଷଣାକୁ ଷ୍ଟିଫେନ୍ ନୂଆ ମୋଡ଼ ଦେବାରେ ସକ୍ଷମ ହୋଇଥିଲେ। ଭଏସ୍ ସିନ୍ଥେସାଇଜର ବିନା ସେ ନିଜ ଭାବନାର ପରିପ୍ରକାଶ ଶବ୍ଦରେ କରିପାରୁନଥିଲେ। ତାଙ୍କ ଚିନ୍ତାର ପରିପ୍ରକାଶ ପାଇଁ ଏକ ସ୍ୱତନ୍ତ୍ର କମ୍ପ୍ୟୁଟର ସଫ୍ଟେଓ୍ଵର ପ୍ରସ୍ତୁତ କରାଯାଇଥିଲା ଯାହା ତାଙ୍କର ମୁହଁର ଭାବପ୍ରକାଶକୁ ଚିହ୍ନଟ କରି ଶବ୍ଦ ଚୟନ କରୁଥିଲା । ଅସୁସ୍ଥତାଜନିତ ଜଟିଳତା ଯୋଗୁଁ ୧୯୬୩ ମସିହାରେ ଷ୍ଟିଫେନ୍ ମାତ୍ର ୨ ବର୍ଷ ବଞ୍ଚିବେ ବୋଲି କୁହାଯାଉଥିଲା। କିନ୍ତୁ ଦୁଃସାଧ୍ୟ ରୋଗ ସହ ଲଢ଼ି ଷ୍ଟିଫେନ୍ ୭୬ ବର୍ଷ ବୟସ ପର୍ଯ୍ୟନ୍ତ ବିଜ୍ଞାନ କ୍ଷେତ୍ରରେ ନିଜର ଅବଦାନ ଯୋଡ଼ି ଚାଲିଥିଲେ।
କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଗଣିତ ପ୍ରଫେସର ଥିବା ଷ୍ଟିଫେନ୍ ୧୯୪୨ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ଏବଂ ସାର ଆଇଜାକ୍ ନ୍ୟୁଟନ୍ଙ୍କ ପରେ ତୃତୀୟ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ଷ୍ଟିଫେନ୍ ହକିଂଙ୍କ ସୁଖ୍ୟାତି ଓ ସଫଳତା ବିଶ୍ୱବିଦିତ । ୧୯୭୪ ମସିହାରେ ସେ ବ୍ରିଟେନ୍ର ‘ଦି ରୟାଲ ସୋସାଇଟି’ର ସର୍ବକନିଷ୍ଠ ଫେଲୋ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୯ ମସିହାରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଗଣିତ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ।