ପୋଖତ୍ ବ୍ୟାଟସ୍‌ମ୍ୟାନ ବୈଷ୍ଣବ, ଦିଲ୍ଲୀ ଗ୍ରାଉଣ୍ଡରେ ଚର୍ଚ୍ଚା ଜୋର…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/ଭୁବନେଶ୍ୱର)- ରେଲେଓ୍ୱ ଓ ଆଇଟି ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା। ବ୍ୟୁରୋକ୍ରାଟ୍ ଓ ଟେକ୍ନୋକ୍ରାଟରୁ ରାଜନୀତିକୁ ଆସିବାର କମ୍ ଦିନ ମଧ୍ୟରେ ଟିମ୍ ମୋଦିରେ ଗୁରୁତ୍ୱ ମିଳିବା ସମସ୍ତଙ୍କୁ ‌ଆଶ୍ଚର୍ଯ୍ୟ କରିଛି । ଦୁଇ ବର୍ଷ ତଳେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହେବା ଯେଭଳି ଅପ୍ରତ୍ୟାଶିତ ଥିଲା, ମୋଦି କ୍ୟାବିନେଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବା ସେଇଭଳି ସମସ୍ତଙ୍କୁ ଚକିତ କରିଛି। ରାଜନୀତିର ପୋଖତ୍ ଖେଳାଳି ନହୋଇ ବି ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ରେଳ ମନ୍ତ୍ରାଳୟ ପାଇବା ସମସ୍ତଙ୍କୁ ଏକପ୍ରକାର ଚକିତ କରିଛି । ରେଲେଓ୍ୱ ସହ ଅଶ୍ୱିନୀଙ୍କୁ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ମିଳିଛି। ଆଇଏସ୍ ଅଧିକାରୀରୁ  କର୍ପୋରେଟ୍ ଆଉ କର୍ପୋରେଟ୍ ଦୁନିଆରୁ ରାଜନୀତିରେ ପାଦ ଥାପିବାର ଖୁବ କମ୍ ଦିନ ମଧ୍ୟରେ ଦେଶର ରେଳ ମନ୍ତ୍ରୀ ଏହି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବାରେ ସେ ଲାଲୁପ୍ରସାଦ ଯାଦବ, ନୀତୀଶ କୁମାର, ମମତା ବାନାର୍ଜୀଙ୍କ ଭଳି ଦିଗଜ୍ଜ ନେତାଙ୍କ ତାଲିକାରେ  ଯୋଡ଼ି ହୋଇଛନ୍ତି। ରାଜସ୍ଥାନରେ ଜନ୍ମିତ ଅଶ୍ୱିନୀ, ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଫିସର୍ କେନ୍ଦ୍ରକୁ ଡେପୁଟେସନରେ ଯିବା ପୂର୍ବରୁ ସେ ବାଲେଶ୍ୱର ଓ କଟକରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ସେହିପରି  ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ପିଏମ୍ଓରେ ଉପସଚିବ ଏବଂ ପରେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହି ବିଜେପି ଟପ୍ ବ୍ରିଗେଡଙ୍କ ଦୃଷ୍ଟିକୁ ଆସିଥିଲେ।  ପ୍ରଶାସନିକ ସେବାରୁ ଅବ୍ୟାବହତି ପରେ ସେ ଜି.ଇ. ଟ୍ରାନ୍ପୋର୍ଟସେନ୍ର ଏମ୍ଡି ଓ ସିମେନ୍ସର ଭାଇସ୍ ପ୍ରେସିଡେଣ୍ଟ ଭାରେ କାର୍ଯ୍ୟ  କରିଥିଲେ । ୨୦୧୨ରେ ଗୁଜରାଟରେ ୨ଟି ଯାନବାହାନ ଯନ୍ତ୍ରାଂଶ ଉତ୍ପାଦନ କଂପାନୀ ଖୋଲିଥିଲେ । ୨୦୧୭ରେ ବି. ପ୍ରଭାକରନଙ୍କ ତ୍ରିବେଣୀ ଆର୍ଥ ମୁଭର୍ସର ସହଯୋଗୀ କଂପାନୀ ତ୍ରିବେଣୀ ପେଲେଟ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଭାବେ ବି କାମ କରିଥିଲେ। ତେବେ ୨୦୧୯ରେ ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ବିଜେପି ପ୍ରାର୍ଥୀ ଭାବେ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲା ବିଜେଡି । ବିଜେଡି ପାଖରେ ସମସ୍ତ ୪ଟି ଯାକ ସିଟ୍ ଜିତିବା ଲାଗି ସଂଖ୍ୟା ଥିଲେ ବି ଗୋଟିଏ ଆସନ ଅଶ୍ୱିନୀଙ୍କ ପାଇଁ ଛାଡ଼ି ଦେଇଥିଲେ ନବୀନ।  ଅର୍ଥାତ୍ ଅଶ୍ୱିନୀଙ୍କ ପାଇଁ ମୋଦି-ନବୀନ ଏକାଠି ହୋଇଥିଲେ ।  ଗତ ଦୁଇବର୍ଷ ଧରି ରାଜ୍ୟସଭାର ସଦସ୍ୟତା ପରେ ଏବେ ଦେଶର ରେଳମନ୍ତ୍ରୀ ଭାବେ ତାଙ୍କୁ ପୁରସ୍କୃତ କରିଛନ୍ତି ପିଏମ୍ ମୋଦି । ତେବେ କାହିଁକି ମନ୍ତ୍ରୀ ଭାବେ ଅଶ୍ୱିନୀଙ୍କ ଉପରେ ଭରସା କଲେ ମୋଦି? ଟେକ୍ନୋକ୍ରାଟ୍ ସାଙ୍ଗକୁ ଉଭୟ ସରକାରୀ ଓ କର୍ପୋରେଟ୍ ଜଗତରେ ଅଭିଜ୍ଞତାକୁ ଦେଖି ମେଦି ତାଙ୍କୁ ବାଛିଥିବା କୁହାଯାଉଛି। ତାସହ ବ୍ୟାକ୍ରୁମ୍ ବୟ ବା ପ୍ରଚ୍ଛଦପଟ୍ଟରେ ରହି ସୁଦୃଢ଼ ଲୋକସମ୍ପର୍କ ମାଧ୍ୟମରେ କ୍ରାଇସିସ୍ ମ୍ୟାନେଜ୍ କରିବାର ସିଦ୍ଧହସ୍ତ ହୋଇଥିବାରୁ ତାଙ୍କୁ ଏହି ପଦ ମିଳିଥିବା ବି ଚର୍ଚ୍ଚା ହେଉଛି। ପୂର୍ବରୁ ଓଡ଼ିଶାରୁ କାହ୍ନୁଚରଣ ଲେଙ୍କା ଓ ଭକ୍ତଚରଣ ଦାସ ମଧ୍ୟ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ। କିନ୍ତୁ ବୈଷ୍ଣବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି। ତେଣୁ ବୈଷ୍ଣବଙ୍କଠାରୁ ଓଡ଼ିଶାବାସୀଙ୍କ ଆଶା ବଢ଼ିଛି। ରେଲେଓ୍ୱ କ୍ଷେତ୍ରରେ ପଛରେ ପଡ଼ିଥିବା ଓଡ଼ିଶାକୁ ତାଙ୍କ ମନ୍ତ୍ରିତ୍ୱ ସମୟରେ ଅଧିକ ଗୁରୁତ୍ୱ ମିଳିବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *