Site icon Ethara Sambhala

ଗୁଣପୁର ଉପ ଜିଲ୍ଲାପାଳଙ୍କ ପଦ୍ମପୁର ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପଦ୍ମପୁର ବ୍ଲକର ନୂଆଗଡ଼, ଗୁଳୁଗୁଡା ଓ ତେମ୍ବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଜିଗୁଡା,ଦକର୍ମ,କଞ୍ଚାକରଡ଼ା ଓ ଲମଡଙ୍ଗ ଭଳି ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ପଦ୍ମପୁର ବ୍ଲକ ତରଫରୁ ନିଆଯାଇଥବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ରାସ୍ତା, ପାନୀୟ ଜଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଦିବାସୀ ମାନଙ୍କ ଜୀବନ ଜୀବିକା ଓ ସେମାନଙ୍କ ମଧ୍ୟରେ କରନା ସଚେତନତା ତଥା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ।

ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଠିକ ସମୟରେ ଛତୁଆ, ଅଣ୍ଡା ବଣ୍ଟନ ହେଉଛି ନା ନାହିଁ ଗ୍ରାମବାସୀଙ୍କ ଠାରୁ ପଚାରି ବୁଝିଥିଲେ । ଲମଡଙ୍ଗ ଭଳି ଅପହଞ୍ଚ ଗ୍ରାମକୁ ଉପ ଜିଲ୍ଲାପାଳ ଚାଲି ଚାଲି ଯାଇଥିବା ସହ ଗ୍ରାମବାସୀଙ୍କ ସମସ୍ୟା ବୁଝିଥିବା ଯୋଗୁଁ ଗ୍ରାମବାସୀ ଖୁସି ପ୍ରକାଶ କରିଥିଲେ। ସେଠାରୁ ଫେରି ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ଠାରେ 40ଜଣଙ୍କୁ ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ବଣ୍ଟନ କରିଥିଲେ। ଉପ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ତହସିଲଦାର ଶ୍ରୀ ନୀଳମାଧଵ ମାଝୀ, ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ପ୍ରମିଳା ବେହେରା, ଯୋଗାଣ ଅଧିକାରୀ ଶ୍ରୀ ପ୍ରଭାକର ମଲ୍ଲିକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Exit mobile version