୧୯ରୁ ସଂସଦର ମୌସୁମୀ ଅଧିବେଶନ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାମାରୀ କରୋନା ସଂକ୍ରମଣ ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୧୩ ତାରିଖ ଯାଏ ଚାଲିବ ଓ ପୂରା ଅଧିବେଶନରେ ୨୦ଟି କାର୍ଯ୍ୟ ଦିବସ ରହିବ ବୋଲି ଜଣାପଡ଼ିଛି। ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୩ୟ ସପ୍ତାହରେ ଆରମ୍ଭ ହୋଇଥାଏ ଓ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ। ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଚଳିତ ବର୍ଷ ମୌସୁମୀ ଅଧିବେଶନ ବି ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହେବ। ଅଧିବେଶନ ବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ସମସ୍ତ ଗାଇଡଲାଇନକୁ ପାଳନ କରାଯିବ। ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦ ବୈଠକ ବସିଥିଲା। ଏହି ସମୟରେ ସେ ସମସ୍ତ ମନ୍ତ୍ରୀମାନଙ୍କୁ ବିରୋଧୀମାନେ କରୋନା ସଙ୍କଟକୁ ନେଇ ଉଠାଉଥିବା ପ୍ରଶ୍ନକୁ କାଉଣ୍ଟର କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ମହାମାରୀ କରୋନାକୁ ନେଇ ଯଦି ବିରୋଧୀ କୌଣସି ମିଛ ଅଭିଯୋଗ କରୁଥିବେ, ତା’ହେଲେ ଏହାର ପର୍ଦ୍ଦାଫାସ କରିବାକୁ ଉପଯୁକ୍ତ ଦସ୍ତାବିଜ ମୌସୁମୀ ଅଧିବେଶନକୁ ଧରି ଆସିବା ପାଇଁ ମଧ୍ୟ ମୋଦି ସବୁ ମନ୍ତ୍ରୀମାନଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ପୂରା ଯୋଜନା କରିଛନ୍ତି। ମହାମାରୀ କରୋନାକୁ ମୁକାବିଲା କରିବାରେ ସରକାରୀ ବିଫଳତା ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରସଙ୍ଗକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିବେ ବୋଲି କୁହାଯାଉଛି। ଏହାବାଦ ବେକାରୀ ଓ ବିଭିନ୍ନ ଅଧ୍ୟାଦେଶ ସମ୍ପର୍କରେ ମଧ୍ୟ ବିରୋଧୀ ନିଜର ସ୍ୱର ଶାଣିତ କରିବେ।

Leave a Reply

Your email address will not be published. Required fields are marked *