ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି ରାଜଧାନୀ ଭୁବନେଶ୍ୱର ଓ କଟକକୁ କୁହୁଡ଼ି ଢାଙ୍କି ରଖିଛି। ଆଜିକୁ ମିଶାଇ ଲଗାତାର ଚାରି ଦିନ ହେଲା ଏ ଦୁଇ ସହରରେ କୁହୁଡ଼ି ପଡୁଛି। ଶନିବାର ଓ ରବିବାର ଭୁବନେଶ୍ୱର ସହିତ କଟକରେ ଘନ କୁହୁଡ଼ି ପଡ଼ିଥିଲା। ଗତକାଲି ଭୁବନେଶ୍ୱରରେ କୁହୁଡ଼ିର ମାତ୍ରା ବହୁତ କମ୍ ଥିଲା। ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରରେ ଟିକେ ଅଧିକ କୁହୁଡ଼ି ପଡ଼ିଛି। କିନ୍ତୁ ଏହା ଶନିବାର ଓ ରବିବାର ଅପେକ୍ଷା ବହୁତ କମ୍। ଆଜି କୁହୁଡ଼ିରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ କୌଣସି ବସ୍ତୁ ଦୃଶ୍ୟମାନ ହେଉଛି। କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବଳ କଟକ, ଭୁବନେଶ୍ୱର ନୁହେଁ, ପୁରୀ ଓ ଅନ୍ୟାନ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ କୁହୁଡ଼ି ପଡ଼ୁଛି। ପୁରୀରେ ଚାରି ଦିନ ହେଲା ଘନ କୁହୁଡ଼ି ପଡୁଛି। ଘନ କୁହୁଡ଼ି ଯୋଗୁ ପୁରୀ ଶ୍ରୀମନ୍ଦିର ଓ ସମୁଦ୍ର ଦେଖାଯାଉ ନାହିଁ। ସମୁଦ୍ରର ଲହରୀର ଶବ୍ଦ କେବଳ ଶୁଭୁଛି। ଏଠାରେ ବି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
କୁହୁଡ଼ି ଯୋଗୁ ଗତକାଲି କେନ୍ଦ୍ରାପଡ଼ାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଥିଲା।
ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ମାତ୍ରା ଏତେ ଅଧିକ ନାହିଁ ବୋଲି ଜଣାପଡ଼ିଛି। କୁହୁଡ଼ି ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ ଶୀତ କମିଛି। ଏବେ ରାଜ୍ୟର ଅନେକ ସ୍ଥାନରେ ତାମପାତ୍ରା ସାମାନ୍ୟ ଠାରୁ ୩ ଡିଗ୍ରୀ କମ୍ ରହୁଥିବା ଜଣାପଡ଼ିଛି। ଯଦିଓ ଗତକାଲି ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା, ଆଗକୁ ଧୀରେ ଧୀରେ ଶୀତ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।