କଶ୍ମୀର ପ୍ରସଙ୍ଗରେ ଆମେରିକାର ସହାୟତା ଲୋଡ଼ିବା କେବଳ ମୁର୍ଖତା: ପିଓକେ ପ୍ରଧାମନନ୍ତ୍ରୀ …!

ଏଥର ସମ୍ଭାଳ ବ୍ୟୁରୋ (ମୁଜାଫରବାଦ) : ପାକିସ୍ତାନକୁ ତେର୍ଚ୍ଛାବାଣ ମାରିଛନ୍ତି ପାକ୍‌ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର। ଯଦି ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଲୋଡ଼ିବ, ତା’ହେଲେ ଏହା କେବଳ ମୁର୍ଖତା ଓ ନିର୍ବୋଧର ପରିଚୟ ହେବ ବୋଲି ପିଓକେ ପ୍ରଧାନମନ୍ତ୍ରୀ କହିଛନ୍ତି।

ହାଇଦର କହିଛନ୍ତି, ପାକିସ୍ତାନ ଅଧିକାରୀମାନେ ନିୟମିତ ଭାବେ ଆମେରିକା କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରୁ ବୋଲି ଦାବି କରିବା ଠିକ୍‌ ନୁହେଁ। କାଣର ଏହା ପ୍ରକୃତ କଶ୍ମୀର ପ୍ରସଙ୍ଗର ବିରୋଧୀ। କଶ୍ମୀରବାସୀଙ୍କ ହାତରେ ବିବାଦର ସମାଧାନର ରାସ୍ତା ରହିଛି। ସେମାନଙ୍କ ଭବିଷ୍ୟତ କ’ଣ ହେବ, ତା’ର ନିଷ୍ପତ୍ତି ନେବାର ଅଧିକାର କେବଳ ସେମାନଙ୍କ ହାତରେ ରହିଛି। ଭାରତ ସରକାର ଅଗଷ୍ଟ ୫ରେ କଶ୍ମୀରକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରିବା ପରେ ପାକିସ୍ତାନ ଏହାକୁ ଏପରି ଭାବେ ପରିଚାଳନା କରିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ହାଇଦର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ ଖାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନଥିବା କହିଛନ୍ତି। ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଯଦି ସେମାନେ ଅତୀତକୁ ଭୁଲି ଯିବାକୁ ଚାହୁଁଛନ୍ତି, ତା’ହେଲେ ଭୁଲି ଯାଆନ୍ତୁ। ହେଲେ ଆମେ କେବେ ହେଲେ ଅତୀତକୁ ଭୁଲିବୁ ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କିଏ କଶ୍ମୀରର ମାନଚିତ୍ର ବଦଳାଇବାକୁ କ୍ଷମତା ଦେଲା?” ହାଇଦର ପାକିସ୍ତାନ ସରକାରଙ୍କୁ କଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଲୋଡ଼ିବାକୁ ମନା କରିଛନ୍ତି।

ଏପରି ଦାବି କଶ୍ମୀରବାସୀଙ୍କ ଦାବିକୁ ଗୌଣ୍ୟ କରିଦେବ ବୋଲି ସେ ଆଶଙ୍କା କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କଶ୍ମୀରରେ ନେଉଥିବା ବଡ଼ବଡ଼ ପଦକ୍ଷେପକୁ ରୋକିବା ପାଇଁ ଇମ୍ରାନ ଖାନଙ୍କୁ ଅନୁରୋଧ କରିଛନ୍ତି। କେବଳ ବୟାନବାଜୀ କଲେ କିଛି ହେବ ନାହିଁ ବୋଲି ହାଇଦର କହିଛନ୍ତି।

Leave a Reply

Your email address will not be published. Required fields are marked *