ରଘୁନାଥଙ୍କ ବଂଶରେ ଧର୍ମପଦର ଆବିର୍ଭାବ, ମୁଣ୍ଡ ଟେକିବ ଦ୍ୱିତୀୟ କୋଣାର୍କ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – କ’ଣ ହେବ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ୱିତୀୟ କୋଣାର୍କର ସ୍ୱପ୍ନ? କରୋନା ପୁରା ପରିବାରକୁ ଶୋକାକୂଳ ଅବସ୍ଥାକୁ ଠେଲି ଦେଇଛି । ଏଭଳି କଠିନ ସମୟରେ ଜେଜେଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବାକୁ ମନୋବଳ ଦୃଢ କରି ଆଗକୁ ଆସିଛନ୍ତି ତାଙ୍କ ନାତି । ରଘୁନାଥଙ୍କ କର୍ମଶାଳାରେ ଏବେ ପୁଣି ଶୁଭିଲାଣି ଠକ୍ ଠକ୍ ଶବ୍ଦ । ତେବେ ସରକାରଙ୍କ ବିନା ପ୍ରୋତ୍ସାହନରେ ଏହା କାଠିକାର ପାଠ ବୋଲି ମତ ଦେଇଛନ୍ତି ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ। 

ପୁଣି ଜାଗିଲା ଦ୍ୱିତୀୟ କୋଣାର୍କର ଆଶା। ଜେଜେ ଯେଉଁଠୁ ଛାଡ଼ିଥିଲେ, ସେଇଠୁ ଆରମ୍ଭ କରିବେ ନାତି। ଓଡ଼ିଆଙ୍କ କଳା ଭାସ୍କର୍ଯ୍ୟର ସର୍ବଶ୍ରେଷ୍ଠ କୃତି ସୂର୍ଯ୍ୟ ମନ୍ଦିର ଭଳି ଅବିକଳ ମନ୍ଦିରଟିଏ ତୋଳିବାକୁ ଜେଜେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସ୍ୱପ୍ନରେ ତାଙ୍କ ଅବର୍ତ୍ତମାନରେ ଡେଣା ଖଞ୍ଜିବାକୁ ଆଗେଇ ଆସିଛନ୍ତି ତାଙ୍କ ନାତି ସ୍ମିତେଶ ମହାପାତ୍ର। କେଇ ଦିନ ତଳେ ମହାମାରୀ କରୋନା ଜେଜେ ରଘୁନାଥଙ୍କ ସମେତ ବାପା ଯଶୋବନ୍ତ ଆଉ ଦାଦା ପ୍ରଶାନ୍ତଙ୍କୁ ନେଇ ପୂରା ପରିବାର ଉପରେ ଯେଉଁ ଦାରୁଣ ଖେଳ ଖେଳିଲା, ସେହି ଦୁଃଖରୁ ସ୍ମିତେଶ ଏଯାଏଁ ବାହାରି ପାରିନାହାନ୍ତି ସତ  ହେଲେ ପଣ କରିଛନ୍ତି ଜେଜେଙ୍କ ସ୍ବପ୍ନକୁ, ପରିବାରର କୌଳିକବୃତ୍ତିକୁ ସେ ହିଁ ଆଗକୁ ନେବେ । ସେଇଥିପାଇଁ ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ରଘୁନାଥଙ୍କ ଓ୍ୱାର୍କସପ୍ରେ ଧୀରେ ଧିରେ ପୁଣି ଶୁଭିବାକୁ ଲାଗିଲାଣି ନିହାଣ ଆଉ ହାତୁଡ଼ିର ଶବ୍ଦ । କଥା କହିବାକୁ ଆରମ୍ଭ କଲେଣି ପଥର।

ଦ୍ୱିତୀୟ କୋଣାର୍କ ବା ଆଦିତ୍ୟ ନାରାୟଣଙ୍କ ମନ୍ଦିର ଲାଗି ସ୍ୱର୍ଗତ ରଘୁନାଥ ମହାପାତ୍ର ପୁରୀ-ଭୁବନେଶ୍ୱର ରାସ୍ତାରେ ପାଖାପାଖି ୫୦ ଏକର ଜମି କିଣିସାରିଥିଲେ।  ଆହୁରି ୧୫୦ ଏକର ଆବଶ୍ୟକତା ଥିଲା । ଏଥିପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତା ମଧ୍ୟ ଲୋଡିଥିଲେ । କୋଣାର୍କ ଚକ୍ର ସହ କାରୁକାର୍ଯ୍ୟ ସମ୍ପନ୍ନ ଖମ୍ବ ବି ତିଆରି ଚାଲିଥିଲା । ଆଶା ରଖିଥିଲେ ୭-୮ ବର୍ଷ ଭିତରେ ସମ୍ପୂର୍ଣ୍ଣ କାମ ସରିଥାନ୍ତା । କିନ୍ତୁ ତା ପୂର୍ବରୁ ସବୁ ଓଲଟପାଲଟ କରିଦେଲା ମହାମାରୀ । ହେଲେ ଯେଉଁ ନାତିର ହାତ ଧରି ସେ କାମ ଶିଖାଇଥିଲେ, ଯାହାଙ୍କୁ ସାଙ୍ଗରେ ଧରି ଦ୍ୱିତୀୟ କୋଣାର୍କ କାମର ଅନୁକୂଳ କରାଇଥିଲେ,ପରିବାରର ସେଇ ଏକମାତ୍ର ଦାୟାଦ ଏବେ ରଘୁନାଥଙ୍କ ସ୍ୱପ୍ନ ଶାକାର କରିବା ପାଇଁ ଲାଗି ପଡ଼ିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏତେବଡ଼ ପ୍ରକଳ୍ପ କଣ ବିନା ସରକାରୀ ପ୍ରୋତ୍ସାହନରେ ସମ୍ଭବ?ବିଶିଷ୍ଟ ଭାସ୍କଯର୍ୟଶିଳ୍ପୀଙ୍କ ମତରେ ଏଥିପାଇଁ ରାଜ୍ୟ ସରକାର ଏକ କମିଟି ଗଢ଼ି ଏଦିଗରେ ପଦକ୍ଷେପ ନିଅନ୍ତୁ।

Leave a Reply

Your email address will not be published. Required fields are marked *