ଅଷ୍ଟ୍ରେଲିଆରେ ଟି-୨୦ ମ୍ୟାଚ୍ ଖେଳିବେ ଯୁବରାଜ ସିଂହ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୁଣିଥରେ କ୍ରିକେଟ୍ ମଇଦାନରେ ପାଦ ଦେବେ ଭାରତର ଦୁଇଥର ବିଶ୍ବକପ୍ ବିଜେତା ଯୁବରାଜ ସିଂହ। ଯୁବରାଜ ଅଷ୍ଟ୍ରେଲିଆର ମେଲବର୍ଣ୍ଣର ଏକ କ୍ରିକେଟ୍ କ୍ଲବ୍ ପକ୍ଷରୁ ଖେଳିପାରନ୍ତି । ଏ ନେଇ ଏହି କ୍ଲବ୍ ଦାବି କରିଛି । ଯୁବରାଜ ଚଳିତ ବର୍ଷ ଗ୍ରୀଷ୍ମରେ ଅଷ୍ଟ୍ରେଲିଆରେ ଟି-୨୦ ମ୍ୟାଚ୍ ଖେଳିବେ। କେବଳ ଯୁବରାଜ ନୁହଁନ୍ତି, ଦୁନିଆର ଆଉ କିଛି ନାମୀ କ୍ରିକେଟର୍ ମଧ୍ୟ ଏହି କ୍ଲବ୍ ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛି। ମେଲବର୍ଣ୍ଣର ଇଷ୍ଟର୍ଣ୍ଣ କ୍ରିକେଟ୍ ସଂଘ (ଇସିଏ)ର ତୃତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଖେଳୁଥିବା ମୁଲଗ୍ରେଭ କ୍ରିକେଟ୍ କ୍ଲବ୍ କହିଛି ଯେ ସେମାନେ ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା, କ୍ରିସ୍ ଗେଲ୍ ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସଙ୍କ କ୍ରିକେଟରଙ୍କ ସହ ଆଲୋଚନା ଚଳାଇଛନ୍ତି।ମୁଲଗ୍ରେଭ ପୂର୍ବରୁ ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍ ଓ ଉପୁଲ ଥରଙ୍ଗାଙ୍କ ସହ ଚୁକ୍ତି କରିବା ସହ ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସନତ ଜୟସୂର୍ୟାଙ୍କୁ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ମୁଲଗ୍ରେଭର ଅଧ୍ୟକ୍ଷ ମିଲନ୍ ପୁଲେନାୟେଗମ କହିଛନ୍ତି ଯେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଓ ୱେଷ୍ଟଇଣ୍ଡିଜର ଗେଲଙ୍କ ସହ କଥାବାର୍ତ୍ତା ଚାଲିଛି । ସେ ଆହୁରି କହିଛନ୍ତି, ଆମେ ଦିଲସାନଙ୍କ ସହ ଚୁକ୍ତି କରି ସାରିଛୁ । ଜୟସୂର୍ୟା ଓ ଥରଙ୍ଗା ଟିମ୍ ସହ ଯୋଗ ଦେବେ। ଏବେ ଆମେ ଆଉ କିଛି ଖେଳାଳିଙ୍କ ସହ ଯୋଗଯୋଗ କରୁଛୁ। ଗେଲ୍ ଓ ଯୁବରାଜଙ୍କ ସହ ଆମେ ୮୫ରୁ ୯୦ ପ୍ରତିଶତ କଥା ହୋଇ ସାରିଛୁ । କେବଳ ଏହାର ଅନ୍ତିମ ରୂପ ଦେବା ବାକି ରହିଥିବା କହିଛନ୍ତି ପୁଲେନାୟେଗମ ।

Leave a Reply

Your email address will not be published. Required fields are marked *