ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମନମୋହନ ସିଂହ ସରକାର ସମୟରେ ଅଗଷ୍ଟ ୨୧, ୨୦୦୮ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏକ ଯୋଜନାକୁ ମଞ୍ଜୁରୀ ଦେଇଥିଲା। ଯାହାର ଉଦ୍ଦେଶ୍ୟ ଥିଲା ଜମି ଗୁଡ଼ିକୁ ଡିଜିଟାଇଜେସନ କରିବା। ଏଭଳି କରି ସରକାର ବେଆଇନ ଜମି ବିକ୍ରି ଉପରେ ରୋକ ଲଗାଇବାକୁ ଉଦ୍ଦେଶ୍ୟ ରଖିଥିଲେ। ୨୦୨୧ ସୁଦ୍ଧା ଏହି ଯୋଜନାକୁ ପୂରଣ କରିବାକୁ ସେତେବେଳେ ଲକ୍ଷ୍ୟ ରଖାଯାଇଥିଲା। ଏବେ କିନ୍ତୁ କେନ୍ଦ୍ରର ମୋଦି ସରକାର ଏଥିରେ କିଛି ଆବଶ୍ୟକତା ଅନୁଯାୟୀ ସଂଶୋଧନ କରି ୨୦୨୩-୨୪ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି।
ଏହି ଅବଧି ମଧ୍ୟରେ ଜମି ଗୁଡ଼ିକୁ ଆଧାର ନମ୍ୱର ସହିତ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏହାକୁ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନୀକିକରଣ କାର୍ଯ୍ୟକ୍ରମ (ଡିଆଇଏଲଆରଏମ୍) ଜରିଆରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ଏଥିରେ ଅନେକ ଅଗ୍ରଗତି ହୋଇଛି। ଏହି ଯୋଜନାକୁ ଲାଗୁ କରିବା ପୂର୍ବରୁ ଆବଶ୍ୟକ ଥିବା ମୌଳିକ ଲକ୍ଷ୍ୟ ହାସଲ ହୋଇସାରିଛି। କିନ୍ତୁ ରାଜ୍ୟ ଗୁଡ଼ିକ ଏପର୍ଯ୍ୟନ୍ତ ଏହି ଦିଗରେ ଆଗେଇ ପାରି ନଥିବା ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ ଜାତୀୟ ସାଧାରଣ ଡକ୍ୟୁମେଣ୍ଟ ପଞ୍ଜିକରଣ ପ୍ରଥା (ଏନଜିଡିଆରଏସ) ଏବଂ ୟୁନିକ ଲ୍ୟାଣ୍ଡ ପାର୍ସଲ ଆଇଡେଣ୍ଟିଫିକେସନ ନମ୍ୱର (ୟୁଏଲପିଆଇଏନ) ଲାଗୁ ହେବ। ଏଭଳି ନିୟମ ଲାଗୁ କରାଯାଇ ଜମିର ସମସ୍ତ ରେକର୍ଡକୁ ସଂଯୋଗ କରାଯିବ। ଏଭଳି ହେବା ଦ୍ୱାରା ଜମିର ବଜାର ମୂଲ୍ୟ ଏବଂ ଜମିର ପୂର୍ବ ମାଲିକାନା ଏବଂ ପଞ୍ଜିକରଣକୁ ଯୋଡିହେବ। ଏହାଦ୍ୱାରା ଜଣେ ଜମି କିଣିବା ବେଳେ ଜାଣି ହେବ ସେହି ଜମିକୁ ନେଇ କିଛି ଆଇନଗତ ବିବାଦ ରହିଛି କି, ଏଭଳି ଜଣାପଡ଼ିଲେ ଜଣେ ଗ୍ରାହକ ଆଉ ଠକିବନି। ଏହାଦ୍ଵାର ଜମି କାରବାର ବେଳେ ସ୍ୱଚ୍ଛତା ଆସି ପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି।
ଏହି ନିୟମ ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଜମି ରେକର୍ଡକୁ ସଂଯୋଗ କରୁଥିବା ଏକ ଉପଯୁକ୍ତ ଇଣ୍ଟିଗ୍ରେଟେଡ୍ ଲ୍ୟାଣ୍ଡ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଏଲ୍ଏମ୍ଏସ୍) ପ୍ରତିଷ୍ଠା କରିହେବ। ଜଣେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଭୂମୀ ସଂଶୋଧନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୦୨୧ ସୁଦ୍ଧା ଶେଷ ହେବ କିନ୍ତୁ ବର୍ତ୍ତମାନ ଏହାକୁ ୨୦୨୩-୨୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାର କାରଣ ପୂର୍ବ ଯୋଜନାରେ କିଛିଟା ପରିବର୍ତ୍ତନ କରି ଏବେର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରାଯାଇଛି। ତେଣୁ ଆଉ ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ସବୁ କାମ ସମ୍ପୂର୍ଣ୍ଣ ହୋଇପାରିବ।
ଏହି ଅଧିକାରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଜମି ଏବଂ ଡକ୍ୟୁମେଣ୍ଟ ପଞ୍ଜିକରଣ ପାଇଁ ‘ଗୋଟିଏ ଦେଶ, ଗୋଟିଏ ସଫ୍ଟୱେୟାର’ ଯୋଜନା ଅଧୀନରେ ୧୦ଟି ରାଜ୍ୟରେ ଏନଜିଡିଆରଏସ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ବ୍ୟତୀତ, ୟୁଏଲପିଆଇଏନ ୨୦୨୧-୨୨ ବର୍ଷ ସୁଦ୍ଧା କାର୍ଯ୍ୟକାରୀ ହେବ। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଏବଂ ନାଗର ହାଭେଲି, ଗୋଆ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ଝାଡଖଣ୍ଡ, ମହାରାଷ୍ଟ୍ର, ମଣିପୁର, ମିଜୋରାମ ଏବଂ ପଞ୍ଜାବରେ ଏହି ୟୁଏଲପିଆଇଏନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।