ଫୋକସରେ ବସ୍ତି ଭୋଟର, ୨୫% ଅର୍ଥ ଖର୍ଚ୍ଚ କରିବେ ପୌର ସଂସ୍ଥା …!

ଏଥର ସମ୍ଭାଳ (ଭୁବନେଶ୍ଵର) -ପୌର ନିର୍ବାଚନ ପୂର୍ବରୁ ବସ୍ତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ଷମତାସୀନ ବିଜେଡି ସରକାର ଏବେ ପୌର ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ପାଣ୍ଠିର ୨୫ ପ୍ରତିଶତ ଅର୍ଥକୁ ବସ୍ତି ଅଂଚଳର ବିକାଶ ପାଇଁ ବ୍ୟୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ପୌର ଆଇନରେ ସଂଶୋଧନ ମଧ୍ୟ ଆଣିଛନ୍ତି।

ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ସମସ୍ତ ପୌର ପ୍ରଶାସକଙ୍କୁ ଚିଠି ଲେଖି ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ପରିଷଦକୁ ଦିଆଯାଇଥିବା ମୋଟ ପାଣ୍ଠିର ୨୫ ପ୍ରତିଶତ ଅର୍ଥକୁ ବସ୍ତି ଅଂଚଳରେ ବ୍ୟୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥରେ ବସ୍ତି ଅଂଚଳର ସର୍ବନିମ୍ନ ସେବା ଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ବ୍ୟୟ କରାଯିବ।

ଶ୍ରୀ ନାୟକ ଲେଖିଛନ୍ତି ଯେ, ଓଡ଼ିଶା ସରକାର ମ୍ୟୁନିସପାଲଟି ଆଇନ-୧୯୫୦ ଓ ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ରେ ସଂଶୋଧନ ଆଣିବା ସହ ଏହାକୁ ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶ କରିସାରିଛନ୍ତି। ସେହି ଅନୁଯାୟୀ ପୌର ସଂସ୍ଥାଗୁଡ଼ିକ ସେମାନଙ୍କ ବାର୍ଷିକ ବଜେଟ ଅର୍ଥର ୨୫ ପ୍ରତିଶତ ବସ୍ତି ଅଂଚଳର ଭିତ୍ତିଭୂମି ବିକାଶ ଓ ମୌଳିକ ସୁବିଧା ଯୋଗାଇବା କ୍ଷେତ୍ରରେ ବ୍ୟୟ କରିବେ। ଏହି ବ୍ୟୟ କିଭଳି ହେଉଛି ତାହାର ତ୍ରୈମାସିକ ଲକ୍ଷ୍ୟଧାର୍ଯ୍ୟ କରିବା ସହ ଏହି ନିୟମକୁ କଡ଼ାକଡ଼ି ଯାଂଚ କରିବା ପାଇଁ ପୌର ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହିତ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମସ୍ତ ମହାନଗର ନିଗମ, ମ୍ୟୁନିସପାଲଟି ଓ ଏନଏସିଗୁଡ଼ିକୁ ମଞ୍ଜୁର ହୋଇଥିବା ପାଣ୍ଠିର ତାଲିକା ସହିତ ୨୫ପ୍ରତିଶତ ଅର୍ଥର ମଧ୍ୟ ଏକ ତାଲିକା ମଧ୍ୟ ଶ୍ରୀ ନାୟକ ତାଙ୍କ ଚିଠିରେ ସଂଲଗ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *