ଟିକା କେନ୍ଦ୍ରରେ କାହାର ଫଟୋ ରହିବ? ସୌମ୍ୟଙ୍କ ମନ୍ତବ୍ୟ ଆଣିଲା ଟୁଇଷ୍ଟ ….!

ଏଥର ସମ୍ଭାଳ (ଭୁବନେଶ୍ଵର) –

କୋଭିଡ୍‌ ଟିକାକେନ୍ଦ୍ରରେ କାହାର ଫଟୋ ରହିବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ଗତ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ଟିକାଦାନ କେନ୍ଦ୍ରରେ ଦେଖାଦେଇଛି ଉତ୍ତେଜନା। ଏଥିରୁ ବାଦ ପଡ଼ିନି ରାଜନେତାଙ୍କ ବାକ୍‌ ଯୁଦ୍ଧ। ଟିକାଦାନ କେନ୍ଦ୍ରରେ ଫଟୋକୁ ନେଇ ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମୁହାଁମୁହିଁ ହୋଇଛନ୍ତି। ଏପରି ସମୟରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟ ଟୁଇଷ୍ଟ ଆଣିଛି। ସୌମ୍ୟ କହିଛନ୍ତି, ଟିକାଦାନ କେନ୍ଦ୍ରରେ କାହାର ଫଟୋ ନଲାଗି, କେମଳ ମାହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଲାଗୁ।

ବିଶ୍ୱ ଯୋଗଦିବସ ଅବସରରେ ସାମୁହିକ ଟିକାକରଣ ଆରମ୍ଭ ହୋଇଛି। ଓଡ଼ିଶାରେ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନଥିଲା। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲା ବିଜେପି। ସେଥିପାଇଁ ଟିକାଦାନ କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିଜେପି କର୍ମୀମାନେ ଚିରି ଦେଇଥିବା ଦେଖିବାକୁ ନେଇଛି। ଗତ ତିନିଦିନ ଧରି ରାଜ୍ୟର କୋଣ ଅନୁକୋଣରୁ ଏପରି ଅଭିଯୋଗ ଆସିଛି।

ଆଜି ଏହି ପ୍ରସଙ୍ଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଭିତରେ ଟ୍ୱିଟର ୱାର ହୋଇଛି। ଅପରାଜିତା ଟ୍ୱିଟ୍‌ କରି ଲେଖିଛନ୍ତି, “ଟିକାକେନ୍ଦ୍ରରେ ମୋଦିଙ୍କ ଫଟୋ ଲଗାନଯିବା ରାଜ୍ୟ ସରକାରଙ୍କ ଅସୁରକ୍ଷିତ ଭାବନା ଓ ସଂକୀର୍ଣ୍ଣ ମନୋଭାବର ପରିଚୟ ଦେଇଛି। ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା। କେନ୍ଦ୍ରର ସହଯୋଗ ଲୋଡିବାରୁ ମୋଦି ଓଡ଼ିଶାକୁ ଟିକା ଯୋଗାଣର ବ୍ୟବସ୍ଥା କଲେ। ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରତ୍ୟେକ କେନ୍ଦ୍ରରେ ଲଗାଯିବା ଉଚିତ୍” ବୋଲି ଅପରାଜିତା ଟ୍ୱିଟ୍‌ରେ ଲେଖିଥିଲେ।

ଅପରାଜିତାଙ୍କ ଟ୍ୱିଟ୍‌ର ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି। ଅନ୍ୟଦଳମାନେ ଏହାକୁ ପ୍ରସଙ୍ଗ କରିଥିବା ବେଳେ ବିଜେଡି କିନ୍ତୁ ଏହାକୁ କେବେ ପ୍ରସଙ୍ଗ କିମ୍ବା ରାଜନୀତି କରିନାହିଁ। ଟିକା ଯୋଗାଣ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ। ଟିକା କେନ୍ଦ୍ରରେ ଫଟୋକୁ ନେଇ ରାଜନୀତି କରିବା ଲଜ୍ଜାଜନକ” ବୋଲି ସସ୍ମିତ ଟ୍ୱିଟ୍‌ରେ ଲେଖିଛନ୍ତି।

ଟିକାକରଣ କେନ୍ଦ୍ରରେ କାହାର ଫଟୋ ଲାଗିବ? ଏହାକୁ ନେଇ କଳି ଲାଗିଥିବା ବେଳେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି-“ପ୍ରଚାର ସର୍ବଶ୍ୱ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତେ ଏଥିରେ ମାତିଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏଭଳି ପ୍ରସଙ୍ଗକୁ ପଛକୁ ଠେଲିଦେବା ଦରକାର। ଯେପରି କୌଣସି ବ୍ୟକ୍ତି ଏହାକୁ ନେଇ ରାଜନୀତି କରିପାରିବ ନାହିଁ। ଆଗେ ଟିକା ଦିଅ, ଫଟୋ ପରେ କରିବ। ଜଗନ୍ନାଥଙ୍କ ଫଟୋ ଲଗାଇ ସମସ୍ତେ ଟିକା ନେଲେ ଓଡ଼ିଶାରେ ଏକ ଭିନ୍ନ ପରମ୍ପରା ସୃଷ୍ଟି କରିପାରିବା।”

Leave a Reply

Your email address will not be published. Required fields are marked *