ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ, ଦୁଇ ଡୋଜ୍ ଟିକା ନେଇଥିଲେ ଅଫିସ୍ ଆସିବାକୁ ବାଧ୍ୟ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଜୁଲାଇ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଓ ଶଟଡାଉନ ଅବଧିକୁ ବୃଦ୍ଧି କରିଥିବାବେଳେ ଆଜି ରାଜ୍ୟର ସରକାରୀ ଅଫିସ୍ ପରିଚାଳନା ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି ସେମାନେ ଅଫିସ୍ ଆସିବା ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ଜୁନ୍ ୧୭ରୁ ୩୦ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ ବିଭାଗର ଅଫିସ୍ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଉପସଚିବ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀମାନେ ପ୍ରତିଦିନ ଅଫିସ୍ ନିଶ୍ଚିତ ଆସିବେ। ଯେଉଁ କର୍ମଚାରୀମାନେ ସମ୍ପୂର୍ଣ୍ଣ ଟିକା(ଦୁଇ ଡୋଜ) ନେଇସାରିଛନ୍ତି ସେମାନଙ୍କ ପାଇଁ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି ।

ତେବେ କଟକ ଓ ଭୁବନେଶ୍ୱରରେ ଥିବା ସରକାରୀ ଅଫିସ୍‌, ମୁଖ୍ୟ ଦପ୍ତର, ବିଭାଗୀୟ ଅଫିସ ଓ ଅନ୍ୟାନ୍ୟ ଅଫିସରେ କେଉଁ କର୍ମଚାରୀମାନେ ଆସିବେ ତାହା ସମ୍ପୃକ୍ତ ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ। ଯେଉଁ କର୍ମଚାରୀ ସମ୍ପୂର୍ଣ୍ଣ ଟିକା ନେଇନାହାନ୍ତି ଓ ରୋଷ୍ଟର ଡ୍ୟୁଟି କରୁଛନ୍ତି ସେମାନେ ଅଫିସ ଆସିବେ କି ନାହିଁ ତାହା ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ। ତେବେ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଫିସଗୁଡ଼ିକ ଯଥା ଏସଆରସି ଅଫିସ୍‌, ଓସଡମା ଅଫିସ, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ମ୍ୟୁନିସପାଲ ସର୍ଭିସ ଆଦି ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟ ପୂର୍ବଭଳି କାର୍ଯ୍ୟ କରିବ।

ଯେଉଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟି ଦିଆଯାଇନାହିଁ ଓ ସେମାନେ ଘରେ ରହି କାମ କରୁଛନ୍ତି ସେମାନଙ୍କୁ ଭିପିଏନ୍ ସୁବିଧା ଉପଲବ୍ଧ ନିଶ୍ଚିତ କରାଯିବ। ସେମାନେ ଅଫିସର ନିୟମିତ ଓ ବକେୟା କାର୍ଯ୍ୟ କରିବେ। ସେହିପରି ଟେଲିଫୋନ୍ ମାଧ୍ୟମରେ ସ୍ୱଳ୍ପ ନୋଟିସରେ କର୍ମଚାରୀମାନଙ୍କୁ ଅଫିସ୍ ଆସିବାକୁ ପଡ଼ିବ। ତେବେ ଯେଉଁ ମହିଳା କର୍ମଚାରୀ ଏବେ ଗର୍ଭବତୀ ଅଛନ୍ତି ସେମାନଙ୍କ ସମେତ ଭିନ୍ନକ୍ଷମ କର୍ମଚାରୀଙ୍କୁ ମଧ୍ୟ ଅଫିସ୍ ଆସିବା ଓ ୱାର୍କ ଫ୍ରମ୍ ହୋମରୁ ବାଦ୍ ଦିଆଯାଇଛି। ସବଅଡିନେଟ୍ ଅଫିସଗୁଡ଼ିକରେ କେତେ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ ତାହା ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବ ବୋଲି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ନିର୍ଦ୍ଦେଶ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *