ଚତୁର୍ଥ ଭାରତୀୟ ଭାବରେ ଧୋନି କଲେ ଏହି ରେକର୍ଡ !

ଏଥର ସମ୍ଭାଳ ବ୍ୟୁରୋ (ମେଲବର୍ଣ୍ଣ) – ଗତ କିଛି ଦିନ ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବା ନେଇ ସଙ୍କଟଜନକ ସ୍ଥିତିରେ ଥିବା ଭେଟେରାନ୍‌ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଜୋରଦାର କମ୍‌ବ୍ୟାକ୍‌ କରିଛନ୍ତି। ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ଦିନିକଆ ସିରିଜ୍‌ ହରାଇବାରେ ଭାରତୀୟ ଦଳ ଇତିହାସ ରଚିବା ସହିତ ଧୋନି ମଧ୍ୟ ବ୍ୟକ୍ତିଗତ ସ୍ତରରେ ଏକ ରେକର୍ଡ କରିଛନ୍ତି। ଭାରତୀୟ କ୍ରିକେଟ୍‌ ଦଳର ଏହି ପୂର୍ବତନ ଅଧିନାୟକ ଚତୁର୍ଥ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବରେ ଅଷ୍ଟ୍ରେଲିଆ ମାଟିରେ ୧୦୦୦ ରନ୍‌ କରିବାର କୃତିତ୍ୱ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ ଦଳର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ସଫଳତା ହାସଲ କରିସାରିଛନ୍ତି। ଆଜିର ନିର୍ଣ୍ଣାୟକ ମ୍ୟାଚ୍‌ରେ ସେ ୩୬ ରନ୍‌ରେ ପହଞ୍ଚିବା ପରେ ଏହି ରେକର୍ଡ କରିପାରିଥିଲେ। ତାଙ୍କର ଏହି ସ୍କୋର କେବଳ ତାଙ୍କ ପାଇଁ ବ୍ୟକ୍ତିଗତ ଭାବରେ ମାଇଲଖୁଣ୍ଟ ସୃଷ୍ଟି କରିନଥିଲା, ବରଂ ୨୩୧ ରନ୍‌ର ବୃହତ୍‌ ଲକ୍ଷ୍ୟ ହାସଲ ସହିତ ୩ ଟିକିଆ ସିରିଜ୍‌କୁ ୨-୧ରେ ଜିତିବା ପାଇଁ ମଧ୍ୟ ସହାୟକ ହୋଇଥିଲା। ଧୋନି ବ୍ୟାଟିଂରେ ଓହ୍ଲାଇଥିବା ସମୟରେ ଦଳର ସ୍ଥିତି ଖରାପ ହୋଇସାରିଥିଲା। ୧୬.୨ ଓଭର ବେଳକୁ ଶିଖର ଧୱନ୍‌ଙ୍କ ବିଦାୟ ବେଳକୁ ଦଳ ୨ ୱିକେଟ୍‌ ହରାଇ ୫୯ ରନ୍‌ କରିଥିଲା। ଏହାପରେ ଅଧିନାୟକ କୋହଲିଙ୍କ ସହିତ ୫୪ ରନ୍‌ର ଭାଗିଦାରୀ ପରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବଙ୍କ ସହିତ ଅପରାଜିତ ୧୨୧ ରନ୍‌ର ଭାଗିଦାରୀ ଦଳକୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଜିତାଇ ପାରିଥିଲା।

Leave a Reply

Your email address will not be published. Required fields are marked *